ଇଣ୍ଡୋନେସିଆରେ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ, ପ୍ରତିରକ୍ଷା କ୍ଷେତ୍ରରେ ଐତିହାସିକ ଚୁକ୍ତି
ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଣ୍ଡୋନେସିଆ ଗସ୍ତ ଭାରତ-ଇଣ୍ଡୋନେସିଆ ସମ୍ପର୍କକୁ ନୂଆ ଦିଗ ଦେଇଛି। ଜାକର୍ତ୍ତାରେ ପହଞ୍ଚିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’ ପ୍ରଦାନ କରିଛନ୍ତି। ଏହି ସମ୍ମାନ ସହ ପ୍ରଧାନମନ୍ତ୍ରୀ ମୋଦୀ ଏପର୍ଯ୍ୟନ୍ତ ୩୪ଟି ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଜାକର୍ତ୍ତାରେ ତାଙ୍କୁ ଭବ୍ୟ ରାଜକୀୟ ସ୍ୱାଗତ ଜଣାଯାଇଥିଲା।
ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ବୈଠକରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ନୂଆ ଉଚ୍ଚତାକୁ ନେବା ପାଇଁ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଭାରତ ଇଣ୍ଡୋନେସିଆକୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଆଷ୍ଟ୍ରା ଏୟାର-ଟୁ-ଏୟାର ମିସାଇଲ୍ ପ୍ରଣାଳୀ ଯୋଗାଇବ। ଏହା ଭାରତର ପ୍ରତିରକ୍ଷା ରପ୍ତାନିକୁ ଆହୁରି ସୁଦୃଢ଼ କରିବା ସହ ଦୁଇ ଦେଶର ସାମରିକ ସହଯୋଗକୁ ମଜବୁତ କରିବ।
ଏହି ପ୍ରତିରକ୍ଷା ଚୁକ୍ତି ଇଣ୍ଡୋନେସିଆର ସାମୁଦ୍ରିକ ସୁରକ୍ଷା, ବାୟୁ ପ୍ରତିରକ୍ଷା ଏବଂ ଦୀର୍ଘ ଦୂରଗାମୀ ଆକ୍ରମଣ କ୍ଷମତାକୁ ସଶକ୍ତ କରିବାରେ ସହାୟକ ହେବ । ସେହିପରି ବିଶ୍ୱ ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସନୀୟ ଓ ଶକ୍ତିଶାଳୀ ପ୍ରତିରକ୍ଷା ଯୋଗାଣକାରୀ ଭାବେ ସ୍ଥାପିତ କରିବାରେ ଏହି ଚୁକ୍ତି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପ୍ରମାଣିତ ହେବ। ଉଭୟ ଦେଶ ଭବିଷ୍ୟତରେ ରଣନୈତିକ ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ଆହୁରି ବିସ୍ତାର କରିବାକୁ ମଧ୍ୟ ସହମତି ପ୍ରକାଶ କରିଛନ୍ତି।

