ଅହମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ବଡ଼ ରାୟ: ୩୮ ଦୋଷୀଙ୍କୁ ଫାଶୀ ଏବଂ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଗୁଜରାଟ ହାଇକୋର୍ଟ
ଅହମଦାବାଦ: ୨୦୦୮ ମସିହାର ଅହମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜୁରାଟ ହାଇକୋର୍ଟ ମଙ୍ଗଳବାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସ୍ୱତନ୍ତ୍ର ଅଦାଲତଙ୍କ ପୂର୍ବ ରାୟକୁ ବଜାୟ ରଖି ହାଇକୋର୍ଟ ୩୮ ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖିଥିବା ବେଳେ ଅନ୍ୟ ୧୧ ଜଣଙ୍କ ଆଜୀବନ କାରାଦଣ୍ଡକୁ ମଧ୍ୟ ବଳବତ୍ତର ରଖିଛନ୍ତି। ଏହି ରାୟକୁ ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବୋଲି କୁହାଯାଉଛି।
ହାଇକୋର୍ଟ ପୀଡ଼ିତ ପରିବାରଙ୍କ ପାଇଁ କ୍ଷତିପୂରଣର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ଫୋରଣରେ ପ୍ରାଣ ହରାଇଥିବା ୫୬ ଜଣଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ୨୦୦ରୁ ଅଧିକ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୬ ଜୁଲାଇ ୨୦୦୮ରେ ପ୍ରାୟ ୭୦ ମିନିଟ୍ ମଧ୍ୟରେ ଅହମଦାବାଦ ସହରର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ୨୧ଟି ବୋମା ବିସ୍ଫୋରଣ ହୋଇଥିଲା। ଏହି ଭୟଙ୍କର ଆକ୍ରମଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତଦନ୍ତରେ ଜଣାପଡ଼ିଥିଲା ଯେ, ବୋମାଗୁଡ଼ିକୁ ସାଇକେଲରେ ରଖାଯାଇଥିବା ଟିଫିନ୍ ବାକ୍ସ ଭିତରେ ଲୁଚାଇ ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯାଇଥିଲା।
।

