ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ନିଷ୍ପତ୍ତି , ମେଟାକୁ ୩ ଦିନର ମହଲତ
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ରେ ଆସିବାକୁ ଥିବା ନୂଆ ‘ୟୁଜରନେମ୍’ ଫିଚରକୁ ନେଇ କେନ୍ଦ୍ର ସରକାର ସତର୍କତା ପଦକ୍ଷେପ ନେଇଛନ୍ତି । ଏହି ଫିଚର ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ପାଇଁ ସରକାର ପୂର୍ବରୁ ମେଟାକୁ ନୋଟିସ୍ ଜାରି କରିଥିଲେ। ବର୍ତ୍ତମାନ କମ୍ପାନିକୁ ନିଜ ପକ୍ଷ ରଖିବା ପାଇଁ ଆଉ ୩ ଦିନର ସମୟ ଦିଆଯାଇଛି। ସୂଚନା ଅନୁସାରେ, ମେଟାକୁ ଜୁଲାଇ ୯ ସୁଦ୍ଧା ଏହି ଫିଚର ସମ୍ପର୍କରେ ବିସ୍ତୃତ ଜବାବ ଦେବାକୁ କୁହାଯାଇଛି।
ହ୍ୱାଟ୍ସଆପ୍ର ଏହି ନୂଆ ଫିଚର ଲାଗୁ ହେଲେ ବ୍ୟବହାରକାରୀମାନେ ନିଜ ମୋବାଇଲ୍ ନମ୍ବର ସେୟାର୍ ନକରି କେବଳ ୟୁଜରନେମ୍ ମାଧ୍ୟମରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିପାରିବେ। ମେଟା ଏହାକୁ ବ୍ୟବହାରକାରୀଙ୍କ ଗୋପନୀୟତା ବୃଦ୍ଧି ପାଇଁ ଆଣୁଥିବା ବେଳେ, କେନ୍ଦ୍ର ସରକାରଙ୍କ ଆଶଙ୍କା ହେଉଛି ଯେ ଏହାର ଅପବ୍ୟବହାର କରି ଠକମାନେ ନକଲି ପରିଚୟ ସୃଷ୍ଟି କରି ଅନଲାଇନ୍ ଠକେଇ ଓ ସାଇବର ଅପରାଧକୁ ବଢ଼ାଇ ପାରନ୍ତି।
ଏହି ପ୍ରସଙ୍ଗରେ ମେଟାର ପ୍ରତିନିଧିମାନେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମେଟା ସରକାରଙ୍କୁ ଆଶ୍ୱାସନା ଦେଇଛି ଯେ, ଭାରତରେ ୟୁଜରନେମ୍ ଫିଚର ଲଞ୍ଚ କରିବା ପୂର୍ବରୁ ସମସ୍ତ ସୁରକ୍ଷା ଓ ନିୟାମକ ପ୍ରସଙ୍ଗରେ ସ୍ପଷ୍ଟତା ଆଣାଯିବ। ସରକାରଙ୍କ ସହ ଆଲୋଚନା ଶେଷ ନହେବା ପର୍ଯ୍ୟନ୍ତ ଏହି ଫିଚରକୁ ଭାରତରେ ଆରମ୍ଭ କରାଯିବ ନାହିଁ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାର କହିଛନ୍ତି ଯେ, ନୂଆ ପ୍ରଯୁକ୍ତି ଆଣିବା ପୂର୍ବରୁ ନାଗରିକଙ୍କ ସୁରକ୍ଷା ସର୍ବାଧିକ ପ୍ରାଥମିକତା ପାଇବା ଉଚିତ। ୟୁଜରନେମ୍ ବ୍ୟବସ୍ଥା ଯଦି ଅପରାଧୀମାନଙ୍କୁ ପରିଚୟ ଲୁଚାଇ ଅପରାଧ କରିବାର ସୁଯୋଗ ଦିଏ, ତେବେ ସେଥିପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ମେଟାକୁ ନିର୍ଦ୍ଦେଶ ଦିଆଯାଇଛି।

