Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୮ ବର୍ଷରେ ଆଖି ବୁଜିଲେ ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନ, କ୍ରିକେଟ ଜଗତରେ ଶୋକ

ନୂଆଦିଲ୍ଲୀ: କ୍ରିକେଟ ଜଗତରୁ ଆସିଛି ଏକ ଦୁଃଖଦ ଖବର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ୩୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଏକ ଗୁରୁତର ରୋଗରେ ପୀଡ଼ିତ ଥିଲେ ଏବଂ ଭାରତରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମଙ୍ଗଳବାର ଆଫଗାନିସ୍ତାନ କ୍ରିକେଟ ବୋର୍ଡ ତାଙ୍କ ଦେହାନ୍ତ ସମ୍ପର୍କରେ ସରକାରୀ ଭାବେ ସୂଚନା ଦେଇଛି।

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଶୋକବାର୍ତ୍ତାରେ କହିଛି ଯେ, ଶାପୁର ଜାଦ୍ରନ ଦେଶର କ୍ରିକେଟର ମୂଳଦୁଆ ପକାଇଥିବା ଅଗ୍ରଣୀ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ। ଆଫଗାନିସ୍ତାନରେ କ୍ରିକେଟର ବିକାଶରେ ତାଙ୍କର ସମର୍ପଣ, ଆଗ୍ରହ ଓ ଅଟଳ ପ୍ରତିବଦ୍ଧତା ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲା। ଜାଦ୍ରନ ହେମୋଫାଗୋସାଇଟିକ୍ ଲିମ୍ଫୋହିଷ୍ଟିଓସାଇଟୋସିସ୍ (HLH) ନାମକ ଏକ ଦୁର୍ଲଭ ପ୍ରତିରକ୍ଷା ପ୍ରଣାଳୀ ଜନିତ ରୋଗରେ ପୀଡ଼ିତ ଥିଲେ। ଗତ କିଛି ମାସ ଧରି ସେ ଭାରତର ଏନସିଆର୍ ଅଞ୍ଚଳରେ ଚିକିତ୍ସା ନେଉଥିଲେ ଏବଂ ଗ୍ରେଟର ନୋଏଡାର ଏକ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି।

ଶାପୁରଙ୍କ ଭାଇ ଘାମାଇ ଜାଦ୍ରନଙ୍କ ସୂଚନା ଅନୁସାରେ, ଗତ ବର୍ଷ ଅକ୍ଟୋବରରୁ ତାଙ୍କର ଚିକିତ୍ସା ଚାଲିଥିଲା। ଡାକ୍ତରଙ୍କ ପରାମର୍ଶ ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭାରତ ଅଣାଯାଇଥିଲା। ପ୍ରାୟ ଦୁଇ ମାସ ପୂର୍ବରୁ ଆଫଗାନିସ୍ତାନର ତାରକା କ୍ରିକେଟର ରସିଦ ଖାନ ଓ ମହମ୍ମଦ ନବି ମଧ୍ୟ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।

ଶାପୁର ଜାଦ୍ରନ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୪୪ଟି ଦିନିକିଆ ଏବଂ ୩୬ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ଦିନିକିଆ କ୍ରିକେଟରେ ୪୩ଟି ଓ ଟି-୨୦ ଆନ୍ତର୍ଜାତୀୟରେ ୩୭ଟି ୱିକେଟ୍ ଦଖଲ କରିଥିଲେ। ତାଙ୍କ ଅକାଳ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories