Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକ ପାଇଁ ସ୍ୱାମୀଙ୍କୁ ହତ୍ୟା! ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ୍ ଦେଇ ନେଲେ ଜୀବନ, ପୂର୍ବରୁ କୋଠାରୁ ଠେଲି ମାରିବାକୁ କରିଥିଲେ ଉଦ୍ୟମ

ହାଇଦ୍ରାବାଦ: ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ପ୍ରେମ ସମ୍ପର୍କରେ ବାଧକ ସାଜୁଥିବା ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଜଣେ ମହିଳା ନିଜ ପ୍ରେମିକଙ୍କ ସହ ମିଶି ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଛି। ପ୍ରଥମେ ସ୍ୱାମୀଙ୍କୁ କୋଠାରୁ ଠେଲି ହତ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେଥିରୁ ସ୍ୱାମୀ ଜଣକ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲେ। ପରେ ଚିକିତ୍ସା ସମୟରେ କ୍ୟାନୁଲା ମାଧ୍ୟମରେ ଟଏଲେଟ୍ କ୍ଲିନର୍ ଓ ଅନ୍ୟ ଔଷଧ ଶରୀରରେ ପ୍ରବେଶ କରାଇ ହତ୍ୟା କରାଯାଇଥିବା ପୋଲିସ ଦେଇଥିବା ସୂଚନାରୁ ଜଣାପଡିଛି । ଏହି ମାମଲାରେ ମହିଳାଙ୍କ ସମେତ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁସାରେ, ୩୫ ବର୍ଷୀୟ ମୃତକ ପ୍ରଶାନ୍ତ ଏକ ଉପସାଗରୀୟ ଦେଶରେ କାମ କରୁଥିଲେ। ତାଙ୍କ ମୃତ୍ୟୁ ପରେ ଜୁଲାଇ ୧ ତାରିଖରେ ତାଙ୍କ ମାଆ ପୋଲିସରେ ଅଭିଯୋଗ କରିଥିଲେ ଏବଂ ବୋହୂ ସନ୍ଧ୍ୟାଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ସନ୍ଧ୍ୟାଙ୍କର ଅନିଲ ନାମକ ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉଭୟେ ପ୍ରଶାନ୍ତଙ୍କୁ ହତ୍ୟା କରିବାକୁ ଯୋଜନା କରି ଭେଙ୍କଟ ସାଇଙ୍କ ସହାୟତା ନେଇଥିଲେ। ଯୋଜନା ଅନୁଯାୟୀ, ପ୍ରଶାନ୍ତଙ୍କୁ ପ୍ରଥମେ ନିଶା ଔଷଧ ଦେଇ କୋଠାରୁ ଠେଲି ଦିଆଯାଇଥିଲା, କିନ୍ତୁ ସେ ଗୁରୁତର ଆହତ ହୋଇ ମଧ୍ୟ ବଞ୍ଚିଯାଇଥିଲେ।

ପରେ ପ୍ରଶାନ୍ତଙ୍କୁ ପ୍ରଥମେ ସରକାରୀ ଓ ପରବର୍ତ୍ତୀ ସମୟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇ ଘରକୁ ଅଣାଯାଇଥିଲା। ପୋଲିସ କହିବା ଅନୁଯାୟୀ,ସେହି ସମୟରେ ଅନିଲଙ୍କ ପ୍ରରୋଚନାରେ ସନ୍ଧ୍ୟା କ୍ୟାନୁଲା ମାଧ୍ୟମରେ ଟଏଲେଟ୍ କ୍ଲିନର୍ ଓ ଏକ ନିଶ୍ଚେତକ ଔଷଧ ପ୍ରଶାନ୍ତଙ୍କ ଶରୀରରେ ପ୍ରବେଶ କରାଇଥିଲେ। ଏହାପରେ ତାଙ୍କୁ ବିଛଣାରୁ ଠେଲି ଦିଆଯାଇଥିଲା, ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତ ବେଳେ ଅଭିଯୁକ୍ତମାନେ ଅପରାଧ ସ୍ୱୀକାର କରିଥିବା ପୋଲିସ କହିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories