ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଫରେଷ୍ଟ୍ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ାର ଫରେଷ୍ଟ୍ ରେଞ୍ଜର ରବୀନ୍ଦ୍ର ନାୟକଙ୍କ ଘରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସର ଏକାଧିକ ଟିମ୍ କଟକ ଓ କେନ୍ଦ୍ରାପଡ଼ାର ଚାରିଟି ସ୍ଥାନରେ ଏକାସଙ୍ଗେ ତଲାସି ଅଭିଯାନ ଚଳାଇଛନ୍ତି।
ଚଢ଼ାଉ ସମୟରେ ରେଞ୍ଜରଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଦସ୍ତାବିଜ, ବ୍ୟାଙ୍କ ଖାତା, ନଗଦ ଟଙ୍କା ଏବଂ ସ୍ଥାବର-ଅସ୍ଥାବର ସମ୍ପତ୍ତିର ଯାଞ୍ଚ କରାଯାଉଛି। କଟକର ବାରଙ୍ଗ ଅଞ୍ଚଳର ଗୋଡ଼ିସାହିରେ ଥିବା ଏକ ଚାରି ମହଲା କୋଠା ମଧ୍ୟ ଭିଜିଲାନ୍ସ ଠାବ କରିଛି। ଏହି କୋଠା ନିର୍ମାଣରେ ବ୍ୟୟ ହୋଇଥିବା ଅର୍ଥର ଉତ୍ସକୁ ନେଇ ତଦନ୍ତ ଚାଲିଛି।
ଭିଜିଲାନ୍ସ ଅଧିକାରୀମାନେ ଅନ୍ୟ ସ୍ଥାନରେ ଥିବା ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର ମଧ୍ୟ ଯାଞ୍ଚ କରୁଛନ୍ତି। ମିଳୁଥିବା ତଥ୍ୟ ଆଧାରରେ ରେଞ୍ଜରଙ୍କ ଆୟ ଓ ସମ୍ପତ୍ତିର ହିସାବ ମେଳ କରାଯିବ। ଚଢ଼ାଉ ଶେଷ ହେବା ପରେ ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ।

