Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଝି ଆକାଶରେ ପାକିସ୍ତାନୀ କାର୍ଗୋ ବିମାନ ନିଖୋଜ, କରାଚୀ ପୂର୍ବରୁ ରାଡାରରୁ ହଠାତ୍ ଉଭାନ

ଇସଲାମବାଦ: ପାକିସ୍ତାନର ଏକ ମାଲବାହୀ ବିମାନ ମଙ୍ଗଳବାର ରାତିରେ କରାଚୀରେ ଅବତରଣ କରିବା ପୂର୍ବରୁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛି। ବିମାନରେ ୫ ଜଣ କ୍ରୁ ସଦସ୍ୟ ଥିବା ବେଳେ ସେମାନଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ (PAA) କହିଛନ୍ତି ଯେ, ବିମାନଟି ସଂଯୁକ୍ତ ଆରବ ଏମିରେଟ୍ସର ଶାରଜାରୁ କରାଚୀ ଅଭିମୁଖେ ଯାଉଥିବା ବେଳେ ନାଭିଗେସନ୍ ବ୍ୟବସ୍ଥାରେ ତ୍ରୁଟି ଥିବା ସୂଚନା ଦେଇଥିଲା। ଏହା ପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ପକ୍ଷରୁ ଆବଶ୍ୟକ ମାର୍ଗଦର୍ଶନ ଦିଆଯାଇଥିଲେ ମଧ୍ୟ କିଛି ସମୟ ପରେ ବିମାନ ସହ ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା।

ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ସ୍ଥାନୀୟ ସମୟ ରାତି ପ୍ରାୟ ୯ଟା ୧୮ ମିନିଟ୍‌ରେ କେ-୨ ଏୟାରୱେଜ୍‌ର ବୋଇଂ ୭୩୭ କାର୍ଗୋ ବିମାନ କରାଚୀ ଏରିଆ କଣ୍ଟ୍ରୋଲ ସେଣ୍ଟର ସହ ଯୋଗାଯୋଗରେ ଥିଲା। ହେଲେ କିଛି ମିନିଟ୍‌ ପରେ ରାଡାରରେ ବିମାନଟିର ଉଚ୍ଚତା ଦ୍ରୁତ ହ୍ରାସ ପାଉଥିବା ଓ ଗତିପଥ ବଦଳାଉଥିବା ଦେଖାଯାଇଥିଲା। ଏହାପରେ କରାଚୀଠାରୁ ପ୍ରାୟ ୧୫୫ ନଟିକାଲ୍ ମାଇଲ୍ ପଶ୍ଚିମରେ ବିମାନଟି ରାଡାରରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଥିଲା। ସେହି ସମୟରୁ ବିମାନ ସହ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରିନାହିଁ।

ଘଟଣା ପରେ ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟରକୁ ସକ୍ରିୟ କରିଛନ୍ତି। ପାକିସ୍ତାନ ନୌସେନା, ତଟରକ୍ଷୀ ବାହିନୀ ଏବଂ ଅନ୍ୟ ସମ୍ପୃକ୍ତ ସଂସ୍ଥାଙ୍କ ସହଯୋଗରେ ସମୁଦ୍ର ଅଞ୍ଚଳରେ ବ୍ୟାପକ ସନ୍ଧାନ ଓ ଉଦ୍ଧାର ଅଭିଯାନ ଚାଲିଛି। ବିମାନଟିର ସ୍ଥିତି ଓ ୫ ଜଣ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ତଦନ୍ତ ଏବଂ ସନ୍ଧାନ କାର୍ଯ୍ୟ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ