ବଲୁଚିସ୍ତାନରେ ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣ: ୧୭ ପୁଲିସ ନିହତ, ୧୫ ଜଣଙ୍କୁ ଅପହରଣ ଅଭିଯୋଗ
ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶରେ ବିଦ୍ରୋହୀମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଜିଆରତ ଜିଲ୍ଲାର ମାଙ୍ଗି ଡ୍ୟାମ୍ ନିକଟରେ ଥିବା ଏକ ପୁଲିସ ଶିବିରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ୨ ଜଣ ଷ୍ଟେସନ ହାଉସ ଅଫିସରଙ୍କ ସମେତ ମୋଟ ୧୭ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୧୫ ଜଣ ପୁଲିସ କର୍ମଚାରୀଙ୍କୁ ବିଦ୍ରୋହୀମାନେ ଅପହରଣ କରିଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁସାରେ, ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍ଏ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ ବୋଲି ଦାବି କରିଛି। ପ୍ରାୟ ୩ ଘଣ୍ଟା ଧରି ପୁଲିସ ଓ ବିଦ୍ରୋହୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଏହି ସଂଘର୍ଷରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଆକ୍ରମଣ ପରେ ସମଗ୍ର ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରାବନ୍ଦୀ କରିଛି। ନିଖୋଜ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ବ୍ୟାପକ ତଲାସି ଅଭିଯାନ ଚାଲିଛି।
ଘଟଣା ପରେ ପାକିସ୍ତାନ ସୁରକ୍ଷା ବାହିନୀ, ଅର୍ଦ୍ଧସାମରିକ ବାହିନୀ ଓ ଆଣ୍ଟି-ଟେରରିଜିମ୍ ସ୍କ୍ୱାଡ୍ର ମିଳିତ ଟିମ୍ ମାଙ୍ଗି ଡ୍ୟାମ୍ ଏବଂ ଜିଆରତ ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ବଲୁଚିସ୍ତାନରେ ଦୀର୍ଘ ଦିନ ଧରି ବିଚ୍ଛିନ୍ନତାବାଦୀ ହିଂସା ଜାରି ରହିଥିବା ବେଳେ ଏହି ଆକ୍ରମଣ ପୁଣିଥରେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଏପଟେ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଘଟଣାକୁ କଡ଼ା ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦେଇଛନ୍ତି।

