ବର୍ଷା କମିଲା, ପୁଣି ବଢ଼ିବ ବର୍ଷାର ପ୍ରଭାବ: ଜୁଲାଇ ୯ରେ ଖୋଲିବ ହୀରାକୁଦ ଗେଟ୍, ମହାନଦୀରେ ବଢ଼ିବ ଜଳସ୍ତର
ରାଜ୍ୟରେ ଗତ କିଛି ଦିନ ଧରି ଲାଗିରହିଥିବା ବର୍ଷାର ମାତ୍ରାରେ ଏବେ ସାମାନ୍ୟ ହ୍ରାସ ପାଇଛି | ମଙ୍ଗଳବାର କେବଳ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବଡ଼ ଧରଣର ବର୍ଷାର ସମ୍ଭାବନା ନାହିଁ। ଉପରମୁଣ୍ଡରେ ବର୍ଷା କମିଥିବାରୁ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ଧୀରେ ଧୀରେ ହ୍ରାସ ପାଉଛି। ତେବେ ନରାଜଠାରେ ମହାନଦୀର ଜଳସ୍ତର ଏବେ ବି ବଢ଼ୁଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଓଡ଼ିଶା ଉପରେ ଥିବା ଅବପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି ଏବଂ ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଦୁର୍ବଳ ହେବ। ତଥାପି ୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଢେଙ୍କାନାଳର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖରେ ମଧ୍ୟ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି।
ଏପଟେ ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏହାଫଳରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ସାମାନ୍ୟ ବଢ଼ିପାରେ, ହେଲେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ। ସେହିପରି ବୈତରଣୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ମଧ୍ୟ ଏବେ ସତର୍କ ସଙ୍କେତଠାରୁ ତଳେ ରହିଥିବାରୁ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଥିବା ଜଣାପଡ଼ିଛି।

