ସିଙ୍ଗଡ଼ା ପାଇଁ ଟ୍ରେନ୍ ଅଟକାଇଲେ ଲୋକୋ ପାଇଲଟ! ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସିଙ୍ଗଡା କିଣିବା ପାଇଁ ଲୋକୋ ପାଇଲଟ୍ ଟ୍ରେନ୍କୁ ଅଧା ବାଟରେ ଅଟକାଇଥିବା ଅଭିଯୋଗ ହୋଇଛି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି। ଲୋକୋ ପାଇଲଟଙ୍କ ଏଭଳି କାର୍ଯ୍ୟକୁ ନେଇ ଯାତ୍ରୀ ଓ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ମହୁ–ଇନ୍ଦୋର ଡେମୁ ଟ୍ରେନ୍ ମନ୍ଦୁର ଏବଂ ଇନ୍ଦୋର ରାଊ ମଧ୍ୟରେ ରଙ୍ଗବାସା ନିକଟରେ ପ୍ରାୟ ୧୦ ମିନିଟ୍ ପାଇଁ ଅଟକିଥିଲା। ପ୍ରଥମେ ଯାତ୍ରୀମାନେ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅଘଟଣ ଘଟିଥିବା ସନ୍ଦେହ କରିଥିଲେ। ପରେ ଅଭିଯୋଗ ହୋଇଥିଲା ଯେ, ଲୋକୋ ପାଇଲଟ୍ ଟ୍ରେନ୍ରୁ ଓହ୍ଲାଇ ନିକଟସ୍ଥ ଦୋକାନରୁ ସିଙ୍ଗଡା କିଣିବାକୁ ଯାଇଥିଲେ। ଏହି ଦୃଶ୍ୟକୁ ସ୍ଥାନୀୟ ଲୋକେ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ତେବେ ଭିଡିଓ ଭାଇରାଲ୍ ହେବା ପରେ ରେଲୱେ ପ୍ରଶାସନ ଘଟଣାକୁ ଗୁରୁତର ସହ ନେଇଛି। ରେଲୱେର ଜନସମ୍ପର୍କ ଅଧିକାରୀ ମୁକେଶ କୁମାର କହିଛନ୍ତି ଯେ, ଭିଡିଓର ସତ୍ୟତା ଓ ଟ୍ରେନ୍ ଅଟକାଇବାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି। ବ୍ୟକ୍ତିଗତ କାରଣରୁ ଟ୍ରେନ୍ ଅଟକାଯାଇଥିବା ପ୍ରମାଣିତ ହେଲେ ସମ୍ପୃକ୍ତ ଲୋକୋ ପାଇଲଟଙ୍କ ବିରୋଧରେ ନିୟମାନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

