ପଢ଼ାଇବା ବାହାନାରେ ଭୁବନେଶ୍ୱର ଆଣି ଝିଆରୀଙ୍କୁ ଦୁଷ୍କର୍ମ, ବିକ୍ରି ଷଡ଼ଯନ୍ତ୍ର ଅଭିଯୋଗରେ ମଉସା-ମାଉସୀ ଗିରଫ
ଭୁବନେଶ୍ୱର: ରାଜଧାନୀରେ ସମ୍ପର୍କକୁ କଳଙ୍କିତ କରିଦେବା ଭଳି ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। କଲେଜରେ ପଢ଼ାଇବା ବାହାନାରେ ନାବାଳିକା ଝିଆରୀଙ୍କୁ ଭୁବନେଶ୍ୱର ଆଣି ତାଙ୍କୁ ଯୌନ ନିର୍ଯାତନା ଦେବା ସହ ରାଜ୍ୟ ବାହାରେ ବିକ୍ରି କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ନୂଆପଲ୍ଲୀ ପୋଲିସ ମଉସା-ମାଉସୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦମ୍ପତି ହେଲେ ଜୟକୃଷ୍ଣ ବେହେରା ଓ ଫୁଲନନ୍ଦିନୀ ନାୟକ। ଉଭୟ ସରକାରୀ କର୍ମଚାରୀ ବୋଲି ପୋଲିସ ସୂଚନା ମିଳିଛି ।
ପୋଲିସ ଅନୁସାରେ, ଆର୍ଥିକ ସ୍ତରରେ ଦୁର୍ବଳ ଥିବା ନିଜ ଭଉଣୀର ଝିଅକୁ ନାବାଳିକାଙ୍କୁ ଉଚ୍ଚଶିକ୍ଷାର ପ୍ରତିଶ୍ରୁତି ଦେଇ ନିଜ ପାଖରେ ରଖିଥିଲେ ଅଭିଯୁକ୍ତ ଦମ୍ପତି। ଏହାର ସୁଯୋଗ ନେଇ ମଉସା ବାରମ୍ବାର ଯୌନ ଶୋଷଣ କରିଥିବା ବେଳେ, ପୀଡ଼ିତା ଏନେଇ ମାଉସୀଙ୍କୁ ଜଣାଇଥିଲେ ମଧ୍ୟ ସେ ସହଯୋଗ କରିବା ପରିବର୍ତ୍ତେ ଚୁପ୍ ରହିବାକୁ କହିଥିବା ଅଭିଯୋଗ ହୋଇଛି। ଅଶ୍ଳୀଳ ଭିଡିଓ କରି ଭାଇରାଲ କରିବାର ଧମକ ଦେଇ ବ୍ଲାକମେଲ କରାଯାଉଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।
ତଦନ୍ତରେ ଆହୁରି ସାମ୍ନାକୁ ଆସିଛି ଯେ, ନାବାଳିକାଙ୍କୁ ରାଜସ୍ଥାନରେ ବିକ୍ରି କରିବା ପାଇଁ ଯୋଜନା କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ମହେନ୍ଦ୍ର କୁମାର ଫେରାର ଥିବାବେଳେ ତାଙ୍କୁ ଧରିବା ପାଇଁ ପୋଲିସ ତଲାସି ଜାରି ରଖିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ନୂଆପଲ୍ଲୀ ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

