ଚୁକ୍ତି କରିବା ପାଇଁ ଇରାନର ଫୋନ୍: ଘନଘନ ଆକ୍ରମଣ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି!
ୱାଶିଂଟନ: ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନା ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଇରାନର ବରିଷ୍ଠ ଅଧିକାରୀମାନେ ତାଙ୍କ ସହ ଯୋଗାଯୋଗ କରି ଆପୋଷ ସମାଧାନ ଓ ଚୁକ୍ତି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ସେ ଇରାନ ଉପରେ ଭରସା କରିବାକୁ ପ୍ରସ୍ତୁତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି।
ଏୟାର ଫୋର୍ସ ୱାନ୍ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଥିଲେ ଯେ, କିଛି ସମୟ ପୂର୍ବରୁ ଇରାନୀ ଅଧିକାରୀମାନେ ଫୋନ୍ କରି ଆଲୋଚନାର ଇଚ୍ଛା ପ୍ରକାଶ କରିଥିଲେ। ଅନ୍ୟପଟେ ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାଘଚି ଟ୍ରମ୍ପଙ୍କ ବୟାନର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଇରାନ ଅପମାନଜନକ ଭାଷାରେ ନୁହେଁ, ବରଂ ନିଜ କାର୍ଯ୍ୟ ମାଧ୍ୟମରେ ଜବାବ ଦେଇଥାଏ। ସେ କହିଛନ୍ତି ଯେ, ଦେଶର ସାର୍ବଭୌମତ୍ୱ ଓ ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଇରାନ କୌଣସି ଚାପ ଆଗରେ ନତମସ୍ତକ ହେବ ନାହିଁ।
ଏହି ମଧ୍ୟରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ଇରାନର ଏକାଧିକ ସ୍ଥାନରେ ସାମରିକ ଅଭିଯାନ ଜୋରଦାର କରିଥିବା ଦାବି କରାଯାଉଛି। ଟ୍ରମ୍ପ କହିଛନ୍ତି, ଇରାନର ପ୍ରତ୍ୟେକ ଆକ୍ରମଣର ଅଧିକ ଶକ୍ତିଶାଳୀ ଜବାବ ଦିଆଯିବ। ତେବେ ଏହି ସବୁ ଘଟଣା ମଧ୍ୟରେ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ବଢ଼ିବା ସହ ମଧ୍ୟପ୍ରାଚ୍ୟର ସୁରକ୍ଷା ପରିସ୍ଥିତିକୁ ନେଇ ବିଶ୍ୱସ୍ତରରେ ଚିନ୍ତା ବଢ଼ିଛି।

