ଇଲିସି ମାଛ ଧରିବାକୁ ଯାଇ ନିଖୋଜ ୧୫ ମତ୍ସ୍ୟଜୀବୀ; ସନ୍ଧାନ ପାଇଁ ନୌସେନା ହେଲିକପ୍ଟର ସହାୟତା ଦାବି
ପଶ୍ଚିମବଙ୍ଗର ଶଙ୍କରପୁର ଉପକୂଳରେ ଇଲିସି ମାଛ ଧରିବାକୁ ଯାଇଥିବା ୧୫ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିବା ଘଟଣା ଉଦବେଗ ସୃଷ୍ଟି କରିଛି। ଜୁଲାଇ ୨ ତାରିଖରେ ‘ମା କାଳୀ’ ନାମକ ଟ୍ରଲରରେ ସେମାନେ ଗଭୀର ସମୁଦ୍ରକୁ ଯାଇଥିଲେ। ନିର୍ଦ୍ଧାରିତ ସମୟ ବିତିଯାଇଥିଲେ ମଧ୍ୟ ଟ୍ରଲର କିମ୍ବା ମତ୍ସ୍ୟଜୀବୀଙ୍କ କୌଣସି ପତ୍ତା ମିଳିନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ସୂଚନା ଅନୁଯାୟୀ, ଟ୍ରଲରଟି ଇଲିସି ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିଲା। ତେବେ ଯିବା ପରଠାରୁ ଏହା ସହ କୌଣସି ଯୋଗାଯୋଗ ହୋଇପାରିନାହିଁ। ଘଟଣା ପରେ ଶଙ୍କରପୁର ମତ୍ସ୍ୟଜୀବୀ ସଂଘ ପକ୍ଷରୁ ସମ୍ପୃକ୍ତ ବିଭାଗକୁ ସୂଚନା ଦିଆଯାଇଛି ଏବଂ ନିଖୋଜ ମତ୍ସ୍ୟଜୀବୀଙ୍କୁ ଠାବ କରିବା ପାଇଁ ତ୍ୱରିତ ସନ୍ଧାନ ଅଭିଯାନ ଚଳାଇବାକୁ ଦାବି କରାଯାଇଛି।
ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ସ୍ୱଦେଶ ନାୟକ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ନୌସେନାର ହେଲିକପ୍ଟର ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସମୁଦ୍ରରେ ପ୍ରତିକୂଳ ପରିସ୍ଥିତି ଥିବାରୁ ଉଦ୍ଧାର କାର୍ଯ୍ୟକୁ ଅଧିକ ଜୋରଦାର କରିବାର ଆବଶ୍ୟକତା ଥିବା ସେ କହିଛନ୍ତି। ଏପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସେମାନଙ୍କ ସୁରକ୍ଷିତ ଫେରିବାକୁ ପରିବାର ଲୋକେ ପ୍ରାର୍ଥନା କରୁଛନ୍ତି।

