Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଲାଗୁ; ନାମଲେଖା ଫି’ ଛାଡ଼, ପୂର୍ବରୁ ଦେଇଥିବା ଟଙ୍କା ଫେରସ୍ତ ହେବ

ରାଜ୍ୟ ସରକାରଙ୍କ ‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’ ଯୋଜନା ଅନୁସାରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଛି। ଗତ ଜୁଲାଇ ୧ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ଏହାକୁ ଅନୁମୋଦନ କରିଥିବାବେଳେ ବର୍ତ୍ତମାନ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଲାଗୁ କରାଯାଇଛି। ଏହାଫଳରେ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ କୌଣସି ଫି’ ଆଦାୟ କରାଯିବ ନାହିଁ।

ଚଳିତ ଶିକ୍ଷାବର୍ଷର ନାମଲେଖା ପ୍ରକ୍ରିୟା ଚାଲିଥିବାବେଳେ ଯୁକ୍ତ ଦୁଇ, ଯୁକ୍ତ ତିନି, ସ୍ନାତକ ଓ ସ୍ନାତକୋତ୍ତର (ପିଜି) ନିୟମିତ ପାଠ୍ୟକ୍ରମରେ ନାମଲେଖା ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ଏପରିକି ଯେଉଁ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମଲେଖା ଫି’ ଜମା କରିସାରିଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ସେହି ଅର୍ଥ ଫେରସ୍ତ କରାଯିବ। ତେବେ ସେଲ୍ଫ ଫାଇନାନ୍ସ, ଅଣଅନୁଦାନପ୍ରାପ୍ତ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଏହି ଯୋଜନାର ପରିସରଭୁକ୍ତ ନୁହେଁ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଏହି ଯୋଜନା ପାଇଁ ପ୍ରଥମ ବର୍ଷରେ ୮୯୫.୫୭ କୋଟି ଟଙ୍କା ଏବଂ ପାଞ୍ଚ ବର୍ଷରେ ୫,୪୬୭.୫୫ କୋଟି ଟଙ୍କା ବ୍ୟୟ କରାଯିବ। ଆର୍ଥିକ ଅସୁବିଧା ଯୋଗୁଁ କୌଣସି ଛାତ୍ରଛାତ୍ରୀଙ୍କ ଶିକ୍ଷା ବାଧାପ୍ରାପ୍ତ ନ ହେଉ, ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଥିବାବେଳେ ଏହା ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ