ଭୁବନେଶ୍ୱରରେ ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ; ଓୟୁଏଟିରେ, ଗଭୀର ସମୁଦ୍ର ମାଛଧରା ମିଶନର କରିବେ ଶୁଭାରମ୍ଭ
ଦିନିକିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଉପରାଷ୍ଟ୍ରପତି ଭାବେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ଏହି ଗସ୍ତ ସମୟରେ ସେ ରାଜ୍ୟର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି।
ଦିନ ୧୧ଟାରେ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନରର ଶୁଭାରମ୍ଭ କରିବେ। ଏହା ସହ ସେ ମତ୍ସ୍ୟଜୀବୀମାନଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବା ସହ ଏହି ମିଶନର ଦସ୍ତାବିଜ ମଧ୍ୟ ଉନ୍ମୋଚନ କରିବେ। ପରେ ଅପରାହ୍ନରେ ଜଟଣୀସ୍ଥିତ “ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ନାଇଜର)”ର ୧୫ତମ ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗଦେବେ।
ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ବିଶେଷକରି ଅପରାହ୍ନ ୩ଟା ୫୫ ମିନିଟ୍ ସମୟରେ ଜୟଦେବ ବିହାର ଛକ ଦେଇ ଯାତାୟାତ ଉପରେ ଅସ୍ଥାୟୀ କଟକଣା ଲାଗୁ ରହିବ। ସାଧାରଣ ଲୋକଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଟ୍ରାଫିକ୍ ପୁଲିସ ପରାମର୍ଶ ଦେଇଥିବାବେଳେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଭଳି ଜରୁରୀକାଳୀନ ସେବା ପାଇଁ ଏହି କଟକଣା ପ୍ରଯୁଜ୍ୟ ହେବ ନାହିଁ।

