Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କାଏୱାକ୍ ମଞ୍ଚରୁ ବଦଳିଲା ରାଜନୈତିକ ସମୀକରଣ? ଚର୍ଚ୍ଚାରେ ଅପରାଜିତା-ଜଗା ପ୍ରଧାନ

ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ସ୍କାଏୱାକ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ରସୁଲଗଡ଼-ପଳାଶୁଣି ମଧ୍ୟରେ ପ୍ରାୟ ୧୮.୪୨ କୋଟି ଟଙ୍କା ବ୍ୟୟରେ ସ୍କାଏୱାକ୍ ସହ ତିନୋଟି ଫୁଟ୍ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଅବସରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି। ବିରୋଧୀ ଦଳର ଅଭିଯୋଗ ହେଉଛି, ସରକାରୀ କାର୍ଯ୍ୟକ୍ରମକୁ ବିଜେପିର ଦଳୀୟ ମଞ୍ଚରେ ପରିଣତ କରାଯାଇଛି ଏବଂ ସ୍ଥାନୀୟ ନିର୍ବାଚିତ ବିଧାୟକଙ୍କୁ ଉପେକ୍ଷା କରାଯାଇଛି।

ଏହି କାର୍ଯ୍ୟକ୍ରମ ପରେ ଭୁବନେଶ୍ୱର ବିଜେପିର ଆଭ୍ୟନ୍ତରୀଣ ସମୀକରଣକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ବଦଳରେ ସମ୍ପ୍ରତି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ମଞ୍ଚରେ ଅଧିକ ପ୍ରାଧାନ୍ୟ ଦେଇଥିବା ନେଇ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷକରି ଜଗନ୍ନାଥ ପ୍ରଧାନଙ୍କ ସମର୍ଥକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନଥିବା ଚର୍ଚ୍ଚା ହେଉଛି।

ଏହି ପ୍ରସଙ୍ଗରେ ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳର ନିର୍ବାଚିତ ପ୍ରତିନିଧି ଏବଂ ସଂଗଠନକୁ ମଜବୁତ କରିବା ତାଙ୍କର ଦାୟିତ୍ୱ। ସେ ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଦଳର ନୀତି ଓ ନିର୍ଦ୍ଦେଶ ଅନୁସାରେ କାମ କରୁଥିବା କହିଥିଲେ। ତେବେ ସାଂସଦଙ୍କ କାର୍ଯ୍ୟଶୈଳୀ ଉପରେ ମନ୍ତବ୍ୟ କରିବାକୁ ସେ ମନା କରିବା ସହ ପୂର୍ବ ବିଜେଡି ସରକାର ସମୟରେ ସାଂସଦଙ୍କୁ ସରକାରୀ କାର୍ଯ୍ୟକ୍ରମରୁ ଦୂରରେ ରଖାଯାଉଥିବା କଥା ମନେ ପକାଇଥିଲେ। ତେବେ ଏହି ବିବାଦ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ