ଖୋଲିଲା ହୀରାକୁଦ ଡ୍ୟାମ୍ର ଗେଟ୍; ମହାନଦୀକୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ସମ୍ବଲପୁର: ସାଇରନ୍ ବାଜିବା ପରେ ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ପ୍ରଥମେ ଖୋଲାଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ବାମ ପାର୍ଶ୍ୱରୁ ଆଉ ୩ଟି ଗେଟ୍ ଖୋଲି ମହାନଦୀକୁ ବନ୍ୟାଜଳ ଛଡ଼ାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ପ୍ରାୟ ୬୧୪.୬୫ ଫୁଟ୍ରେ ପହଞ୍ଚିଥିବାବେଳେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଆବଶ୍ୟକତା ଅନୁସାରେ ଆହୁରି ଗେଟ୍ ଖୋଲାଯିବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ।
ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହୀରାକୁଦ ମୁଖ୍ୟ ବନ୍ଧ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଡ୍ରୋନ୍, ମାଇକ୍ରୋଲାଇଟ୍ ବିମାନ ସମେତ ସମସ୍ତ ପ୍ରକାର ମାନବଚାଳିତ ଓ ମାନବବିହୀନ ଉଡ଼ନ୍ତା ଉପକରଣର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି।
ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ସୁରକ୍ଷା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରାଯାଇଛି। ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି, ଯାହାଦ୍ୱାରା ବନ୍ୟାଜଳ ନିଷ୍କାସନ ସମୟରେ କୌଣସି ଅଘଟଣ ଘଟିବ ନାହିଁ।

