ବନ୍ୟା ପାଣିରେ ଭାସିଗଲା ୩ ହଜାର ଗ୍ୟାସ୍ ସିଲିଣ୍ଡର; ପାଇଥିଲେ ତୁରନ୍ତ ଫେରାଇବାକୁ ପ୍ରଶାସନର ଅନୁରୋଧ
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଲଗାତାର ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାତାଳଗଙ୍ଗା ନଦୀର ପ୍ରବଳ ସ୍ରୋତରେ ପ୍ରାୟ ୩ ହଜାର ଏଲପିଜି ଗ୍ୟାସ୍ ସିଲିଣ୍ଡର ଭାସିଯାଇଛି। ଖଲାପୁର ସ୍ଥିତ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ (HPCL)ର ଏଲପିଜି ବଟଲିଂ ପ୍ଲାଣ୍ଟର ଗୋଦାମରେ ବନ୍ୟା ପାଣି ପଶିଯିବା ପରେ ସିଲିଣ୍ଡରଗୁଡ଼ିକ ନଦୀକୁ ଭାସିଯାଇଥିବା ସୂଚନା ମିଳିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ନଦୀରେ ଭାସୁଥିବା ସିଲିଣ୍ଡରଗୁଡ଼ିକୁ ସ୍ଥାନୀୟ ଲୋକ ରଶି ଓ ହୁକ୍ ସାହାଯ୍ୟରେ ବାହାର କରୁଥିବା ଦେଖିବାକୁ ମିଳିଛି। ଏହି ସିଲିଣ୍ଡର ମଧ୍ୟରୁ କେତେକ ଭର୍ତ୍ତି ଥିବାବେଳେ ଅନ୍ୟ କେତେକ ଖାଲି ରହିଥିବା ଜଣାପଡ଼ିଛି। ଏପରି ସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ବନ୍ୟା ଯୋଗୁଁ ରାୟଗଡ଼ର ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ନଦୀଗୁଡ଼ିକର ଜଳସ୍ତର ବିପଦ ସୀମା ଉପରେ ପ୍ରବାହିତ ହେଉଛି।
ଘଟଣା ପରେ ରାୟଗଡ଼ ଜିଲ୍ଲା ପ୍ରଶାସନ ସାଧାରଣ ଲୋକଙ୍କୁ ନିବେଦନ କରିଛି ଯେ, ଯଦି କାହାରି ହାତରେ ଏହି ଗ୍ୟାସ୍ ସିଲିଣ୍ଡର ପହଞ୍ଚିଥାଏ, ତେବେ ତାହାକୁ ନିଜ ପାଖରେ ରଖିବେ ନାହିଁ। ବରଂ ନିକଟସ୍ଥ ତହସିଲ କାର୍ଯ୍ୟାଳୟ କିମ୍ବା ଅଧିକୃତ HPCL ଡିଲରଙ୍କ ନିକଟରେ ଜମା କରିବାକୁ କୁହାଯାଇଛି। ଏଥିସହ ପ୍ରଶାସନ ଭାସିଯାଇଥିବା ସମସ୍ତ ସିଲିଣ୍ଡର ଉଦ୍ଧାର ଓ ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।

