ଆମେରିକା-ଇରାନ ସଂଘର୍ଷ ତୀବ୍ର; ଆକ୍ରମଣରେ ୧୪ ମୃତ, ୭୮ ଆହତ
ଆମେରିକା ଓ ଇରାନ ମଧ୍ୟରେ ସାମରିକ ସଂଘର୍ଷ ଆହୁରି ଉଗ୍ର ରୂପ ନେଇଛି। ଇରାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବୁଧବାରଠାରୁ ଆମେରିକା ପକ୍ଷରୁ ପାଞ୍ଚଟି ପ୍ରଦେଶରେ ହୋଇଥିବା ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୭୮ ଜଣ ଆହତ ହୋଇଛନ୍ତି। ଏହାର ଜବାବରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ବାହାରିନ୍ ଓ କୁଏତରେ ଥିବା ଆମେରିକା ସମର୍ଥିତ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିବା ଦାବି କରିଛି।
ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ବୁଶେହର, ଚାବାହାର, କୋନାରାକ, ବନ୍ଦର ଆବାସ ଏବଂ ସିରିକ ସମେତ ବିଭିନ୍ନ ସହରରେ ବିସ୍ଫୋରଣ ଘଟିଛି। ବୁଶେହରର ପରମାଣୁ ଶକ୍ତି କେନ୍ଦ୍ର ନିକଟବର୍ତ୍ତୀ ଅଞ୍ଚଳ ମଧ୍ୟ ଏହି ଆକ୍ରମଣର ପ୍ରଭାବରେ ଆସିଥିବା ଜଣାପଡ଼ିଛି। ଏଥିସହ ଆମେରିକା ଇରାନର କିଛି ରେଳ ସେତୁ, ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସଂରକ୍ଷଣ କେନ୍ଦ୍ର ସମେତ ପ୍ରାୟ ୯୦ଟି ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି।
ଅନ୍ୟପଟେ, ଇରାନରେ ପରିସ୍ଥିତି ଦିନକୁ ଦିନ ଗୁରୁତର ହେଉଥିବାବେଳେ ଉଭୟ ଦେଶର ପ୍ରତିଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆନ୍ତର୍ଜାତିକ ମହଳ ଏହି ସଂଘର୍ଷକୁ ନେଇ ଚିନ୍ତା ପ୍ରକାଶ କରୁଥିବାବେଳେ ଅଞ୍ଚଳରେ ଆହୁରି ବଡ଼ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ବଢ଼ିଛି।

