ଏସିଡ୍ ମାଡ଼ ଧମକ ଦେଇ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ; ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଏସିଡ୍ ପକାଇବା ଧମକ ଓ ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ କରିବାର ଭୟ ଦେଇ ଦୁଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ମାମଲାରେ ବାଙ୍କୀ ଥାନା ଅଞ୍ଚଳର ଚିତ୍ତରଞ୍ଜନ ରାଉତ ଓରଫ ବଳିଆ (୨୬)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୩୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ନଦେଲେ ଅତିରିକ୍ତ ୨ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଏହାସହ ଦୁଇ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଦୁଇ ସମ୍ପର୍କୀୟ ନାବାଳିକାଙ୍କୁ ଏସିଡ୍ ପକାଇବା ସହ ସେମାନଙ୍କ ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିବାର ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରୁଥିଲେ। ସେ ବିବାହ ପାଇଁ ମଧ୍ୟ ଚାପ ପକାଉଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଏଭଳି ଅତ୍ୟାଚାର ଚାଲିଥିବା ବେଳେ, ପୀଡ଼ିତାଙ୍କ ଫଟୋ ଅନ୍ୟମାନଙ୍କ ମୋବାଇଲକୁ ପଠାଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା।
ପରେ ଘଟଣା ସମ୍ପର୍କରେ ପରିବାର ସଦସ୍ୟମାନେ ଜାଣିବା ପରେ ୨୦୨୨ ସେପ୍ଟେମ୍ବର ୨୮ରେ ବାଙ୍କୀ ଥାନାରେ ଏତଲା ଦାଖଲ କରାଯାଇଥିଲା। ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ହାଜର କରିଥିଲା। ମାମଲାର ଶୁଣାଣି ପରେ ପୋକ୍ସୋ ଆଇନର ଧାରା ୬, ୪ ଏବଂ ଭାରତୀୟ ଦଣ୍ଡବିଧିର ଧାରା ୩୭୬(୨)(ଏନ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଅଦାଲତ ଏହି କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

