ମହାନଦୀ ବନ୍ୟାରେ ଭାସିଗଲା କୁଇଣ୍ଟାଲ କୁଇଣ୍ଟାଲ ଚିଙ୍ଗୁଡ଼ି, ଘେରିରେ ପଶିଲା ବନ୍ୟାଜଳ; ଧରିବାକୁ ଲୋକଙ୍କ ଭିଡ଼
ଲଘୁଚାପଜନିତ ପ୍ରବଳ ବର୍ଷା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଛନ୍ଦା ଗ୍ରାମ ନିକଟସ୍ଥ ଚିଙ୍ଗୁଡ଼ି ଘେରିରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ଘେରିରେ ଥିବା କୁଇଣ୍ଟାଲ କୁଇଣ୍ଟାଲ ଚିଙ୍ଗୁଡ଼ି ମହାନଦୀ ସ୍ରୋତରେ ଭାସି ଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଚିଙ୍ଗୁଡ଼ି ଚାଷୀମାନେ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।
ବନ୍ୟାପାଣି ଘେରି ଭିତରକୁ ପଶିବା ପରେ ଚିଙ୍ଗୁଡ଼ିଗୁଡ଼ିକ ନଦୀକୁ ବାହାରିଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକମାନେ ବୁଡ଼ିଯାଇଥିବା ଘେରି ଓ ନଦୀ କୂଳରେ ପହଞ୍ଚି ଜାଲ ଓ ଅନ୍ୟାନ୍ୟ ସାମଗ୍ରୀ ସାହାଯ୍ୟରେ ଚିଙ୍ଗୁଡ଼ି ଧରିବାରେ ଲାଗିପଡ଼ିଥିଲେ। ଏହାକୁ ନେଇ ସେଠାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ସ୍ଥାନୀୟ ଚିଙ୍ଗୁଡ଼ି ଚାଷୀମାନଙ୍କ କହିବାନୁସାରେ, ଅଚାନକ ଜଳସ୍ତର ବୃଦ୍ଧି ଯୋଗୁଁ ସେମାନେ ଘେରିକୁ ସୁରକ୍ଷିତ କରିବାର ସୁଯୋଗ ପାଇନଥିଲେ। ଫଳରେ ବହୁ ପରିମାଣର ଚିଙ୍ଗୁଡ଼ି ନଦୀକୁ ଭାସିଯାଇଛି। କ୍ଷତିଗ୍ରସ୍ତ ଚାଷୀମାନେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଓ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି।

