Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାପ୍ରଭୁଙ୍କ ଖାତାକୁ ଫେରିବ ୫୮ ଏକର ଜମି! ୩୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଫେରାଇବାକୁ ବୋର୍ଡ ଅଫ୍ ରେଭେନ୍ୟୁର ନିର୍ଦ୍ଦେଶ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ପ୍ରାୟ ୫୮ ଏକର ମୂଲ୍ୟବାନ ଜମି ପୁଣିଥରେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନକୁ ଫେରିବାକୁ ଯାଉଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅଧୀନ କୁଦିଆରି ମୌଜାରେ ଥିବା ଏହି ଜମିର ବର୍ତ୍ତମାନର ବଜାର ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ବୋର୍ଡ ଅଫ୍ ରେଭେନ୍ୟୁ ଏହି ଜମିକୁ ମହାପ୍ରଭୁଙ୍କ ନାମରେ ପୁନଃ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛି।

ବୋର୍ଡ ଅଫ୍ ରେଭେନ୍ୟୁର ସଦସ୍ୟ ସତ୍ୟବ୍ରତ ସାହୁ ମାମଲାର ଶୁଣାଣି କରି ଦାଖଲ ହୋଇଥିବା ଦୁଇଟି ରିଭିଜନ୍ ପିଟିସନ୍‌କୁ ମଞ୍ଜୁର କରିଛନ୍ତି। ସେ ଜଟଣୀ ତହସିଲଦାରଙ୍କୁ ବିବାଦୀୟ ଜମିର ରେକର୍ଡ ସଂଶୋଧନ କରି ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ’ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିର ପକ୍ଷରୁ ଦାବି କରାଯାଇଥିଲା ଯେ, ୧୯୫୧ ମସିହାରେ ଏକ ଶିଳ୍ପ ପ୍ରତିଷ୍ଠାନ ପାଇଁ ଦିଆଯାଇଥିବା ଦୀର୍ଘମିଆଦୀ ଲିଜ୍ ଆଇନସମ୍ମତ ନଥିଲା।

ଶୁଣାଣି ବେଳେ ଜଣାପଡ଼ିଥିଲା ଯେ, ସେତେବେଳେ ପ୍ରଚଳିତ ଓଡ଼ିଶା ହିନ୍ଦୁ ଧର୍ମୀୟ ଏଣ୍ଡାଉମେଣ୍ଟ ଆଇନ, ୧୯୩୯ ଅନୁଯାୟୀ ଏଣ୍ଡାଉମେଣ୍ଟ କମିସନରଙ୍କ ପୂର୍ବ ଅନୁମତି ବିନା ପାଞ୍ଚ ବର୍ଷରୁ ଅଧିକ ସମୟ ପାଇଁ ମନ୍ଦିର ସମ୍ପତ୍ତି ଲିଜ୍ ଦିଆଯାଇପାରିବ ନାହିଁ। କିନ୍ତୁ ଏହି ମାମଲାରେ ସେପରି କୌଣସି ଅନୁମୋଦନର ପ୍ରମାଣ ଦାଖଲ ହୋଇନଥିଲା। ଏହାସହ ଲିଜ୍ ନେବା ପରେ ଜମିରେ କୌଣସି ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ହୋଇନଥିବା କିମ୍ବା ମନ୍ଦିର କୌଣସି ଆର୍ଥିକ ଲାଭ ପାଇନଥିବା ମଧ୍ୟ କୋର୍ଟରେ ସ୍ପଷ୍ଟ ହୋଇଥିଲା। ତହସିଲଦାରଙ୍କ ରିପୋର୍ଟ ଅନୁସାରେ ଜମିଟି ଏବେ ମଧ୍ୟ ଖାଲି ପଡ଼ିରହିଛି। ଏହାକୁ ଆଧାର କରି ୧୯୬୫ରେ କରାଯାଇଥିବା ରେକର୍ଡ ସଂଶୋଧନକୁ ଆଇନଗତ ତ୍ରୁଟିପୂର୍ଣ୍ଣ ବୋଲି ବୋର୍ଡ ଅଫ୍ ରେଭେନ୍ୟୁ ମତ ପ୍ରକାଶ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories