ସମୁଦ୍ରରେ ନିଖୋଜ ୩ ଓଡ଼ିଆ ଭାଇ; ଘରେ କାନ୍ଦବୋବାଳି, ସରକାରଙ୍କୁ ପରିବାରର ଆକୁଳ ନିବେଦନ
ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଶଙ୍କରପୁର ଉପକୂଳରେ ନିଖୋଜ ଥିବା ୧୬ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇର ଏକ ପରିବାରର ୩ ଭାଇ ଥିବା ଜଣାପଡ଼ିଛି। ଏହି ଘଟଣା ପରେ ପରିବାରରେ ଶୋକ ଓ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି।
ନିଖୋଜ ତିନି ଭାଇ ହେଲେ ରବୀନ୍ଦ୍ର ମାଝୀ, ଜୟରାମ ମାଝୀ ଓ ଜଗନ୍ନାଥ ମାଝୀ। ସେମାନେ ଦିଘାରୁ ଚଳାଚଳ କରୁଥିବା ‘ମା କାଳୀ’ ନାମକ ମାଛଧରା ଟ୍ରଲରରେ କାମ କରୁଥିଲେ। ଗତ ଶୁକ୍ରବାର ସମୁଦ୍ରକୁ ମାଛ ଧରିବାକୁ ଯିବା ପରେ ଥରେ ମାତ୍ର ପରିବାର ସହ ଫୋନରେ କଥା ହୋଇଥିଲେ। ପରେ ଟ୍ରଲର ମାଲିକଙ୍କ ସହ ୱାୟାରଲେସ ମାଧ୍ୟମରେ ଯୋଗାଯୋଗ ହୋଇଥିଲା। ଏହାପରେ ସେମାନଙ୍କ ସହ କୌଣସି ସମ୍ପର୍କ ସ୍ଥାପନ ହୋଇପାରିନାହିଁ।
ଦୀର୍ଘ ସମୟ ଧରି ତିନି ଭାଇଙ୍କ କୌଣସି ଖବର ମିଳୁନଥିବାରୁ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ନିଖୋଜ ମତ୍ସ୍ୟଜୀବୀମାନଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରଙ୍କୁ ପରିବାର ପକ୍ଷରୁ ଆକୁଳ ନିବେଦନ କରାଯାଇଛି। ସମୁଦ୍ରରେ ସନ୍ଧାନ ଅଭିଯାନ ଜାରି ରହିଥିବା ସୂଚନା ମିଳିଛି।

