ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲାରେ ବଡ଼ ଖୁଲାସା! ଷ୍ଟକ୍ ମାର୍କେଟରେ ହେଉଥିଲା ନିବେଶ, ୩୦ ବ୍ୟାଙ୍କ ଆକାଉଣ୍ଟ ଜବତ
ଅଯୋଧ୍ୟା: ରାମ ମନ୍ଦିର ଦାନ ପାଣ୍ଠି ଆତ୍ମସାତ୍ ମାମଲାରେ ତଦନ୍ତ ଆହୁରି ଜୋରଦାର ହୋଇଛି। ପୁଲିସ ତଦନ୍ତରେ ଚାଞ୍ଚଲ୍ୟକର ସୂଚନା ମିଳିଛି। ଅଭିଯୁକ୍ତମାନେ ଚୋରି ହୋଇଥିବା ଦାନ ଅର୍ଥର ଏକ ଅଂଶ ଷ୍ଟକ୍ ମାର୍କେଟ ଏବଂ ଅନ୍ୟ ଆର୍ଥିକ କାରବାରରେ ନିବେଶ କରିଥିବା ସାମ୍ନାକୁ ଆସିଛି। ଏହି ମାମଲାରେ ପୁଲିସ ୩୦ଟି ବ୍ୟାଙ୍କ ଆକାଉଣ୍ଟକୁ ଜବତ କରିଛି।
ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ଅନୁକଳ୍ପ ମିଶ୍ରଙ୍କୁ ତାଙ୍କ ଘରକୁ ନେଇ ତଲାସି କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି। ଜେରା ବେଳେ ସେ ଏବଂ ଅନ୍ୟ ଅଭିଯୁକ୍ତ ଅବିନାଶ ଶୁକ୍ଲା ଚୋରି ଟଙ୍କାକୁ ଷ୍ଟକ୍ ମାର୍କେଟରେ ନିବେଶ କରିଥିବା ସ୍ୱୀକାର କରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଦାନ ଅର୍ଥକୁ ସୁଧରେ ଦେବା ସହ ସମ୍ପର୍କୀୟ ଓ ବନ୍ଧୁଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା କାରବାର କରାଯାଉଥିଲା।
ଏହାପୂର୍ବରୁ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତ ଲବକୁଶ ମିଶ୍ର ଓ କରୁଣେଶ ପାଣ୍ଡେଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା। ବର୍ତ୍ତମାନ ତିନିଜଣଙ୍କୁ ୪୦ ଘଣ୍ଟିଆ ପୁଲିସ ରିମାଣ୍ଡରେ ରଖାଯାଇଛି। ତଦନ୍ତକାରୀ ଦଳ ବ୍ୟାଙ୍କ ଦସ୍ତାବେଜ, ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ନିବେଶ ସମ୍ବନ୍ଧୀୟ ରେକର୍ଡ ଯାଞ୍ଚ କରୁଛି। ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଅଭିଯୁକ୍ତ ଓ ସେମାନଙ୍କ ସମ୍ପର୍କୀୟଙ୍କ ୩୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି।

