ଉତ୍ତରାଖଣ୍ଡରେ ମୌସୁମୀର ତାଣ୍ଡବ; ୧୧୮ ରାସ୍ତା ବନ୍ଦ, ଜାରି ହେଲା ରେଡ୍ ଆଲର୍ଟ
ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ପଥର ଧସିବା କାରଣରୁ ୧୧୮ଟି ରାସ୍ତା ବନ୍ଦ ହୋଇଯାଇଛି। ଏଥିମଧ୍ୟରୁ ରୁଦ୍ରପ୍ରୟାଗରେ ୨୨ଟି, ଦେହରାଦୁନରେ ୨୧ଟି, ଚାମୋଲିରେ ୧୬ଟି, ନୈନିତାଲରେ ୧୩ଟି ଏବଂ ପିଥୋରାଗଡ଼ରେ ୧୨ଟି ରାସ୍ତା ଯାତାୟାତ ପାଇଁ ବନ୍ଦ ରହିଛି। ଉତ୍ତରକାଶୀର ନାଲୁପାନି ନିକଟରେ ଭୂସ୍ଖଳନ ହେବାରୁ ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ମଧ୍ୟ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ (IMD) ରାଜ୍ୟର ଅନେକ ଜିଲ୍ଲା ପାଇଁ ଅରେଞ୍ଜ ଓ ରେଡ୍ ଆଲର୍ଟ ଜାରି କରାଯାଇଛି । ଦେହରାଦୁନ, ହରିଦ୍ୱାର, ପୌରୀ, ନୈନିତାଲ, ଟେହରୀ ଓ ଉଧମ ସିଂହ ନଗରରେ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ଉଧମ ସିଂହ ନଗର, ନୈନିତାଲ ଏବଂ ଚମ୍ପାୱତର କିଛି ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଘୋଷଣା କରାଯାଇଛି। ଏହାସହ ପ୍ରଶାସନ ଲୋକଙ୍କୁ ଅତି ଆବଶ୍ୟକ ନ ଥିଲେ ଯାତ୍ରା ନ କରିବା, ସୁରକ୍ଷିତ ସ୍ଥାନରେ ରହିବା ଏବଂ ସ୍ଥାନୀୟ ପ୍ରଶାସନର ପରାମର୍ଶ ପାଳନ କରିବାକୁ ଅନୁରୋଧ କରିଛି।
ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ଦ୍ରୁତ ଗତିରେ ବଢ଼ୁଛି। ଉତ୍ତରକାଶୀରେ ଭାଗୀରଥୀ ନଦୀ ବିପଦ ସୀମାର ନିକଟରେ ପହଞ୍ଚିଥିବାବେଳେ କୋଟେଶ୍ୱର ଓ ଦେବପ୍ରୟାଗରେ ମଧ୍ୟ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବଦ୍ରିନାଥରେ ଅଲକାନନ୍ଦା ନଦୀର ଜଳସ୍ତର ମଧ୍ୟ ବିପଦ ସୀମାଠାରୁ ମାତ୍ର ପ୍ରାୟ ୨ ମିଟର ତଳେ ଥିବାରୁ ପ୍ରଶାସନ ସତର୍କ ନଜର ରଖିଛି। ବର୍ଷା ଜାରି ରହିଲେ ବନ୍ୟା ଓ ଅଧିକ ଭୂସ୍ଖଳନର ଆଶଙ୍କା ରହିଥିବାରୁ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି।

