ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ୩.୧୭ ଲକ୍ଷ ନୂଆ ଆବେଦନ, ଯୋଗ୍ୟ ହିତାଧିକାରୀଙ୍କୁ ଏକାଥରେ ମିଳିବ ୫ କିସ୍ତି
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଅପଡେଟ୍ ଆସିଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂଆ ଆବେଦନକାରୀ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ଲୋକସେବା ଭବନରେ ଆୟୋଜିତ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି। ନୂଆ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ସମୀକ୍ଷା ବୈଠକରେ ଜଣାପଡ଼ିଛି ଯେ, ବର୍ତ୍ତମାନ ୮୨ ହଜାର ୩୬ଟି DBT ସକ୍ରିୟକରଣ, ୨୮ ହଜାର ୬୨୧ଟି ବାୟୋମେଟ୍ରିକ୍ e-KYC ଏବଂ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଭେରିଫିକେସନ ମାମଲା ବିଚାରାଧୀନ ରହିଛି। ଏହି ସମସ୍ତ ପ୍ରକ୍ରିୟାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବ୍ଲକ କମିଟିଗୁଡ଼ିକ ଜିଲ୍ଲା କମିଟିକୁ ରିପୋର୍ଟ ଦେବେ ଏବଂ ଜିଲ୍ଲା କମିଟି ଜୁଲାଇ ୨୫ ସୁଦ୍ଧା ରାଜ୍ୟ କମିଟିଙ୍କୁ ଅନ୍ତିମ ରିପୋର୍ଟ ପ୍ରଦାନ କରିବ। ଯେଉଁ ହିତାଧିକାରୀଙ୍କ ବାୟୋମେଟ୍ରିକ୍ e-KYC ବାକି ରହିଛି, ସେମାନେ ମୋ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରରେ ଯାଇ ଜୁଲାଇ ୨୫ ମଧ୍ୟରେ ଫିଙ୍ଗରପ୍ରିଣ୍ଟ ଦେଇ ପ୍ରକ୍ରିୟା ପୂରଣ କରିବାକୁ କୁହାଯାଇଛି।
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ ଯେଉଁ ଯୋଗ୍ୟ ମହିଳାମାନେ ବିଭିନ୍ନ କାରଣରୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିଲେ, ସେମାନେ ବର୍ତ୍ତମାନ ଫିଲ୍ଡ ଭେରିଫିକେସନ ସମୟରେ ନିଜ ଅଭିଯୋଗ ଦାଖଲ କରିପାରିବେ। ତଦନ୍ତରେ ଯଦି ସେମାନେ ଯୋଗ୍ୟ ବୋଲି ପ୍ରମାଣିତ ହୁଅନ୍ତି, ତେବେ ପୂର୍ବରୁ ବାକି ଥିବା ସମସ୍ତ ୫ଟି କିସ୍ତି ଏକାଥରେ ପ୍ରଦାନ କରାଯିବ। ସେହିପରି, ରାଜ୍ୟ ସରକାର ସୂଚନା ଦେଇଛନ୍ତି ଯେ ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।

