Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମରିବି ତ ନିଜ ଦେଶରେ, ଡିସେମ୍ବରରେ ବାଂଲାଦେଶ ଫେରି କୋର୍ଟରେ ଆତ୍ମସମର୍ପଣ କରିବେ: ଶେଖ ହାସିନାଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ବାଂଲାଦେଶ ଫେରି କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ବଡ଼ ଘୋଷଣା କରିଛନ୍ତି। ରଏଟର୍ସକୁ ଦେଇଥିବା ଏକ ସାକ୍ଷାତକାରରେ ୭୮ ବର୍ଷୀୟା ହାସିନା କହିଛନ୍ତି ଯେ, ସେ ଏକା ନୁହେଁ, ଆୱାମୀ ଲିଗ୍‌ର ନିର୍ବାସିତ ବରିଷ୍ଠ ନେତାମାନେ ମଧ୍ୟ ତାଙ୍କ ସହ ବାଂଲାଦେଶ ଫେରି କୋର୍ଟରେ ଆତ୍ମସମର୍ପଣ କରିବେ। ମୃତ୍ୟୁଦଣ୍ଡର ସମ୍ଭାବନା ଥିଲେ ମଧ୍ୟ ସେ ନିଜ ଦେଶକୁ ଫେରିବା ନିଷ୍ପତ୍ତିରେ ଅଟଳ ଥିବା କହିଛନ୍ତି।

ଶେଖ୍ ହାସିନା କହିଛନ୍ତି, “ମୋତେ ଗିରଫ କରାଯାଇପାରେ, ଏପରିକି ମୋତେ ହତ୍ୟା ମଧ୍ୟ କରାଯାଇପାରେ। ତଥାପି ମୁଁ ନିଜ ଦେଶକୁ ଫେରିବି। ମୋ ଦଳର ନେତା ଓ କର୍ମୀମାନଙ୍କ ଉପରେ ଅତ୍ୟାଚାର ଚାଲିଛି। ଯଦି ମୃତ୍ୟୁ ଆସେ, ତେବେ ତାହା ମୋ ନିଜ ମାଟିରେ ଆସୁ।” ସେ କହିଛନ୍ତି ଯେ, ବାଂଲାଦେଶ କର୍ତ୍ତୃପକ୍ଷ ତାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ଭାରତକୁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ସେ ନିଜ ଇଚ୍ଛାରେ ଦେଶକୁ ଫେରିବେ। ଏହି ପ୍ରସଙ୍ଗରେ ସେ କୌଣସି ବିଦେଶୀ ସରକାରଙ୍କ ସହ ଆଲୋଚନା କରିନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୪ ମସିହାରେ ହିଂସାତ୍ମକ ଛାତ୍ର ଆନ୍ଦୋଳନ ପରେ ଶେଖ୍ ହାସିନା ବାଂଲାଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ପରେ ବାଂଲାଦେଶର ଟ୍ରିବ୍ୟୁନାଲ୍ ତାଙ୍କ ଅନୁପସ୍ଥିତିରେ ଛାତ୍ର ଆନ୍ଦୋଳନ ଦମନ ମାମଲାରେ ମୃତ୍ୟୁଦଣ୍ଡ ଘୋଷଣା କରିଥିଲେ। ହାସିନା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଆସୁଥିବା ବେଳେ ତାଙ୍କ ସହ ପୂର୍ବତନ ଗୃହମନ୍ତ୍ରୀ ଆସାଦୁଜ୍ଜାମାନ ଖାନ କମାଲଙ୍କ ସମେତ ଅନ୍ୟ ବରିଷ୍ଠ ଆୱାମୀ ଲିଗ୍ ନେତାମାନେ ମଧ୍ୟ ଦେଶକୁ ଫେରି କୋର୍ଟରେ ଆତ୍ମସମର୍ପଣ କରିବାର ଯୋଜନା କରିଥିବା ସୂଚନା ମିଳିଛି। ଏପରିସ୍ଥିତିରେ ହାସିନାଙ୍କ ଫେରିବା ଘୋଷଣା ବାଂଲାଦେଶର ରାଜନୀତି ସହ ଭାରତ-ବାଂଲାଦେଶ ସମ୍ପର୍କ ଉପରେ ମଧ୍ୟ ବଡ଼ ପ୍ରଭାବ ପକାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories