ରାଜସ୍ଥାନରେ ବଡ଼ ତେଲ ଚୋରି ରାକେଟ୍ ର ପର୍ଦାଫାଶ! ମାଟି ତଳେ ୪୦ ଫୁଟର ଗୁପ୍ତ ପାଇପ୍ରେ ଚାଲିଥିଲା ଅଶୋଧିତ ତେଲ ଚୋରି
ରାଜସ୍ଥାନର ଟଙ୍କ ଜିଲ୍ଲାରେ ଏକ ବଡ଼ ତେଲ ଚୋରି ରାକେଟ୍ର ପର୍ଦ୍ଦାଫାଶ ହୋଇଛି। ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL)ର ମୁଖ୍ୟ ଅଶୋଧିତ ତେଲ ପାଇପଲାଇନ୍ରୁ ବେଆଇନ ଭାବେ ତେଲ ଚୋରି କରିବା ପାଇଁ ମାଟି ତଳେ ପ୍ରାୟ ୪୦ ଫୁଟ୍ ଲମ୍ବର ଏକ ଗୁପ୍ତ ପାଇପଲାଇନ୍ ବିଛାଯାଇଥିଲା। କମ୍ପାନିର ପାଇପଲାଇନ୍ରେ ଅସ୍ୱାଭାବିକ ଭାବେ ତେଲର ଚାପ କମିଯିବା ପରେ ଯାଞ୍ଚ ବେଳେ ଏହି ଚୋରି ରାକେଟ୍ ସାମ୍ନାକୁ ଆସିଥିଲା। ଘଟଣା ପରେ ପୋଲିସ ଅଜ୍ଞାତ ଦୁର୍ବୃତ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଆଇଓସିଏଲ୍ର ସୂଚନା ଅନୁସାରେ, ଗତ ଜୁନ୍ ୧ ତାରିଖରୁ ପାଇପଲାଇନ୍ରେ ଚାପ କମିବା ଲକ୍ଷ୍ୟ କରାଯାଇଥିଲା। ଏହାପରେ କମ୍ପାନିର ବିଶେଷଜ୍ଞ ଦଳ ସମ୍ପୂର୍ଣ୍ଣ ରୁଟ୍ର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ମାଲପୁରା ସବ୍ଡିଭିଜନ୍ର ଲାଡି ଗ୍ରାମ ନିକଟ ଏକ ଚାଷଜମି ତଳେ ମୁଖ୍ୟ ହାଇ-ପ୍ରେସର ପାଇପଲାଇନ୍ ସହ ଯୋଡ଼ାଯାଇଥିବା ୪୦ ଫୁଟ୍ର ବେଆଇନ ପାଇପଲାଇନ୍ ଠାବ କରାଯାଇଥିଲା। କମ୍ପାନି ତୁରନ୍ତ ସେହି ସଂଯୋଗକୁ କାଟି ପାଇପଲାଇନ୍ର ମରାମତି କରିବା ସହ ପୋଲିସରେ ଅଭିଯୋଗ ଦାଖଲ କରିଥିଲା।
ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ପୁଷ୍ପେନ୍ଦ୍ର ସୋଲଙ୍କିଙ୍କ ସୂଚନା ଅନୁସାରେ, ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ତେଲ ଚୋରି ଉଦ୍ୟମ ମାମଲା ରୁଜୁ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବ୍ୟବହୃତ ସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ନୂଆ ଥିଲା, ଯେଉଁଥିରୁ ସନ୍ଦେହ କରାଯାଉଛି ଯେ ନିକଟରେ ଏହି ଗୁପ୍ତ ବ୍ୟବସ୍ଥା କରାଯାଇଥିଲା। ଏପରି ହାଇ-ପ୍ରେସର ପାଇପଲାଇନ୍ରେ ବେଆଇନ ସଂଯୋଗ କରିବା ସାଧାରଣ ବ୍ୟକ୍ତିଙ୍କ ପକ୍ଷରେ ସମ୍ଭବ ନୁହେଁ। ତେଣୁ ଏହି ଘଟଣାରେ ବୈଷୟିକ ଜ୍ଞାନ ଥିବା କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ପୋଲିସ କହିଛି, ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ।

