Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ମୋତେ ହତ୍ୟା କଲେ ଇରାନ ଛାରଖାର ହୋଇଯିବ’; ଟ୍ରମ୍ପଙ୍କ କଡା ଚେତାବନୀ, ଗୁପ୍ତ ସାମରିକ ଆଦେଶର ଦାବି

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ନେଇ କଡ଼ା ମନ୍ତବ୍ୟ କରିଛନ୍ତି। ଏକ ସାକ୍ଷାତକାରରେ ସେ ଦାବି କରିଛନ୍ତି ଯେ, ଯଦି ଇରାନ ତାଙ୍କୁ ହତ୍ୟା କରିବାରେ ସଫଳ ହୁଏ, ତେବେ ପୂର୍ବରୁ ଜାରି କରାଯାଇଥିବା ଗୁପ୍ତ ସାମରିକ ନିର୍ଦ୍ଦେଶ ଅନୁଯାୟୀ ଇରାନ ଉପରେ ଇତିହାସର ସବୁଠାରୁ ବିଧ୍ୱଂସକାରୀ ଆକ୍ରମଣ କରାଯିବ। ଟ୍ରମ୍ପ କହିଛନ୍ତି ଯେ, ସେ ବହୁଦିନ ଧରି ଇରାନର ‘ହିଟ୍‌ ଲିଷ୍ଟ’ର ପ୍ରମୁଖ ଟାର୍ଗେଟ୍‌ ରହିଆସିଛନ୍ତି।

ଟ୍ରମ୍ପଙ୍କ କହିବା ଅନୁସାରେ, ଇସ୍ରାଏଲ ପକ୍ଷରୁ ତାଙ୍କ ବିରୋଧରେ ଇରାନର ନୂଆ ଷଡ଼ଯନ୍ତ୍ର ସମ୍ପର୍କିତ କୌଣସି ନୂତନ ସୂଚନା ମିଳିନଥିଲା। ସେ କହିଛନ୍ତି, “ମୁଁ ବହୁତ ଦିନ ଧରି ଇରାନର ଟାର୍ଗେଟ୍‌ରେ ଅଛି। ଯଦି ମୋ ସହ କିଛି ଘଟେ, ତେବେ ଇରାନକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ।” ୨୦୨୦ ମସିହାରେ ଇରାନର ଶୀର୍ଷ ସାମରିକ କମାଣ୍ଡର କାସେମ ସୋଲେମାନୀଙ୍କ ଉପରେ ହୋଇଥିବା ଆମେରିକୀୟ ଡ୍ରୋନ୍ ଆକ୍ରମଣ ପରଠାରୁ ଇରାନ ପ୍ରତିଶୋଧ ନେବାର ଧମକ ଦେଇ ଆସୁଛି।

ଟ୍ରମ୍ପ ଆହୁରି କହିଛନ୍ତି ଯେ, ଇରାନକୁ କୌଣସି ପରିସ୍ଥିତିରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ। ସେ ଇରାନର ନେତୃତ୍ୱ ପରିବର୍ତ୍ତନକୁ ନେଇ ମଧ୍ୟ କଟାକ୍ଷ କରିଥିଲେ। ଏହାସହ ‘ଟ୍ରୁଥ୍ ସୋସିଆଲ’ରେ କରିଥିବା ପୋଷ୍ଟରେ ସେ ଦାବି କରିଛନ୍ତି ଯେ, ଇରାନ ପୁଣିଥରେ ଆମେରିକା ସହ ଆଲୋଚନା ଜାରି ରଖିବାକୁ ଅନୁରୋଧ କରିଛି ଏବଂ ଆମେରିକା ଏଥିରେ ସମ୍ମତ ହୋଇଛି। ତେବେ ପୂର୍ବରୁ ଥିବା ଯୁଦ୍ଧବିରତି ଆଉ ଲାଗୁ ନଥିବା ସ୍ପଷ୍ଟ କରିଦେଇଛନ୍ତି। ଟ୍ରମ୍ପଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ଆମେରିକା-ଇରାନ ସମ୍ପର୍କ ଆଗାମୀ ଦିନରେ ଆହୁରି ତିକ୍ତ ହେବାର ସମ୍ଭାବନା ଦେଖାଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories