ଜାମିନ ପାଇବାର ସପ୍ତାହେ ପରେ ଭୟଙ୍କର କାଣ୍ଡ; ସ୍ତ୍ରୀ-ସନ୍ତାନଙ୍କ ସହ ୬ ଜଣଙ୍କୁ କଲା ହତ୍ୟା! ଅଭିଯୁକ୍ତଙ୍କୁ ଧରିବାକୁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍
ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲାରେ ଏକ ହୃଦୟବିଦାରକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। POCSO ମାମଲାରେ ଜାମିନରେ ବାହାରିଥିବା ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀ, ଦୁଇ ପୁଅଙ୍କ ସହ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିବା ୧୭ ବର୍ଷୀୟା ନାବାଳିକା, ତାଙ୍କ ମା’ ଏବଂ ଜେଜେମାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ରାଜକୁମାର ଘଟଣା ପରେ ଫେରାର ଥିବାବେଳେ ତାକୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି।
ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ରାଜକୁମାର ପ୍ରଥମେ ଶାବାଦ ଅଞ୍ଚଳରେ ଥିବା ନିଜ ଘରେ ସ୍ତ୍ରୀ ପାର୍ବତୀ ସରିତା ଏବଂ ୪ ବର୍ଷ ଓ ୧ ବର୍ଷର ଦୁଇ ପୁଅଙ୍କୁ ହତ୍ୟା କରିଥିଲା। ଏହାପରେ ସେ ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ଗାଡ଼ିରେ ବସାଇ ଏକ ନିଛାଟିଆ ସ୍ଥାନକୁ ନେଇ ହତ୍ୟା କରିଥିଲା। ପରେ ନାବାଳିକାଙ୍କ ୪୫ ବର୍ଷୀୟା ମା’ ଓ ୬୫ ବର୍ଷୀୟା ଜେଜେମାଙ୍କୁ ମଧ୍ୟ ହତ୍ୟା କରିଥିଲା। ସେତେବେଳେ ଘରେ ଉପସ୍ଥିତ ଥିବା ନାବାଳିକାଙ୍କ ଦିବ୍ୟାଙ୍ଗ ଭଉଣୀଙ୍କୁ ସେ କୌଣସି କ୍ଷତି ପହଞ୍ଚାଇନଥିଲା। ଘଟଣା ପରେ ଅଭିଯୁକ୍ତ ନିଜ ବାପାଙ୍କୁ ଫୋନ୍ କରି ହତ୍ୟା ବିଷୟରେ ସୂଚନା ଦେବା ସହ ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲା, କିନ୍ତୁ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ |
ତଦନ୍ତରୁ ଜଣାପଡ଼ିଛି ଯେ, ରାଜକୁମାର ୨୦୧୮ରେ ପ୍ରେମ ବିବାହ କରିଥିଲେ। ଚଳିତ ବର୍ଷ ମେ ମାସରେ ସେହି ନାବାଳିକାଙ୍କୁ ପିଛା କରିବା ଓ ଯୌନ ଉତ୍ପୀଡ଼ନ ଅଭିଯୋଗରେ ତାଙ୍କ ବିରୋଧରେ POCSO ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ପରେ ସେ ଅଗ୍ରୀମ ଜାମିନ ପାଇଥିଲେ। ପୋଲିସ କହିଛି ଯେ, ଅଭିଯୁକ୍ତଙ୍କର ମାନସିକ ସମସ୍ୟା ଓ ଜୁଆ ଖେଳିବାର ଅଭ୍ୟାସ ଥିଲା ବୋଲି ପରିବାର ଲୋକେ ଦାବି କରିଛନ୍ତି। ଏବେ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଥିବା ବେଳେ ପୋଲିସ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ କାରଣ ଏବଂ ଘଟଣାକ୍ରମର ତଦନ୍ତ ଜାରି ରଖିଛି।

