ବିଚ୍ ରାସ୍ତାରେ ଜଗାଙ୍କୁ ନିର୍ମମ ହତ୍ୟା; ଛୁରାମାଡ଼ କରି ଫେରାର ଦୁର୍ବୃତ୍ତ, ୩ ଜଣଙ୍କୁ ଅଟକ ରଖି ପଚରାଉଚରା
ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଛକରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଖୁଦୁପୁର ଗାଁର ମାର୍କଣ୍ଡ ବଳିୟାରସିଂହ ଓରଫ ‘ଜଗା’ଙ୍କୁ ବିଚ୍ ରାସ୍ତାରେ ଛୁରାମାଡ଼ କରି ହତ୍ୟା କରାଯାଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଜଗା ଖୁଦୁପୁର ଛକରେ ଠିଆ ହୋଇଥିବା ସମୟରେ କିଛି ଦୁର୍ବୃତ୍ତ ହଠାତ୍ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରଥମେ ସେ ସାମାନ୍ୟ ଆହତ ହୋଇ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ପେଟ ଓ ଛାତିରେ ବାରମ୍ବାର ଛୁରାମାଡ଼ କରିଥିଲେ। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ଜଗାଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଖବର ପାଇ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

