ଡିସିପି ଜଗମୋହନ ମୀନାଙ୍କ ପରେ ଆଉ ଜଣେ ଆଇପିଏସ୍ଙ୍କ ଇସ୍ତଫା! ପ୍ରଶିକ୍ଷଣ ସମୟରେ ଅଧାରୁ ଚାକିରି ଛାଡ଼ିଲେ IPS ରାମଦାସ
ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫାର କିଛି ଦିନ ପରେ ପୁଣି ଜଣେ ଯୁବ ଆଇପିଏସ୍ ଅଧିକାରୀ ସରକାରୀ ଚାକିରି ଛାଡ଼ିବାକୁ ଆବେଦନ କରିଛନ୍ତି। ୨୦୨୫ ବ୍ୟାଚ୍ର ଆଇପିଏସ୍ ପ୍ରୋବେସନର ସି.ଏ. ରାମଦାସ ନିଜର ଇସ୍ତଫାପତ୍ର ଓଡ଼ିଶା ସରକାରଙ୍କୁ ପଠାଇଛନ୍ତି। ସପ୍ତାହକ ମଧ୍ୟରେ ଲଗାତାର ଦୁଇ ଆଇପିଏସ୍ଙ୍କ ଇସ୍ତଫାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି |
ଓଡ଼ିଶା ପୁଲିସ ସୂତ୍ର ଅନୁସାରେ, ୩୩ ବର୍ଷୀୟ ସି.ଏ. ରାମଦାସ ବର୍ତ୍ତମାନ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀରେ ଟ୍ରେନିଂ ନେଉଥିଲେ | ସେ ମହାରାଷ୍ଟ୍ରର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଓଡ଼ିଶା କ୍ୟାଡର ଆବଣ୍ଟନ କରାଯାଇଥିଲା। ତେବେ ସେ ଏପର୍ଯ୍ୟନ୍ତ ଓଡ଼ିଶାରେ ଫିଲ୍ଡ ଟ୍ରେନିଂ କିମ୍ବା କୌଣସି ଦାୟିତ୍ୱ ଗ୍ରହଣ କରିନଥିବାବେଳେ ପ୍ରଶିକ୍ଷଣ ସମୟରେ ହିଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଓଡ଼ିଶା ଡିଜିପି ୱାଇ.ବି. ଖୁରାନିଆ କହିଛନ୍ତି ଯେ, ସରକାର ରାମଦାସଙ୍କ ଇସ୍ତଫାପତ୍ର ପାଇଛନ୍ତି। ସେ ପ୍ରଶିକ୍ଷଣରେ ଥିବାରୁ ଓଡ଼ିଶାରେ କୌଣସି ଫିଲ୍ଡ ପୋଷ୍ଟିଂ କିମ୍ବା ଟ୍ରେନିଂ କରିନାହାନ୍ତି। ତାଙ୍କ ଇସ୍ତଫାର ପ୍ରକୃତ କାରଣ ସମ୍ପର୍କରେ ବିଭାଗ ପାଖରେ କୌଣସି ସୂଚନା ନାହିଁ। ଅନ୍ୟପଟେ, ଗତ ୬ ତାରିଖରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ମଧ୍ୟ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ, ଯାହା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ। ତେବେ ଲଗାତାର ଦୁଇ ଯୁବ ଆଇପିଏସ୍ଙ୍କ ଇସ୍ତଫାକୁ ନେଇ କେତେକ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଏହାର କାରଣ ସରକାର ଗୁରୁତ୍ୱର ସହ ଯାଞ୍ଚ କରିବା ଉଚିତ୍ ବୋଲି ମତ ରଖିଛନ୍ତି।

