ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ; ଟଙ୍କା ଧରି ବାଇକ୍ରେ ଫେରାର ହେଲେ ନାଚୁଣୀ ଥାନାର ଏଏସଆଇ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତେବେ ଭିଜିଲାନ୍ସ ଟିମ୍କୁ ଦେଖି ସେ ଲାଞ୍ଚ ଟଙ୍କା ସହ ମୋଟରସାଇକେଲରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।
ସୂଚନା ଅନୁସାରେ, ଏକ ଜମି ବିବାଦକୁ କେନ୍ଦ୍ର କରି ଉଭୟ ପକ୍ଷ ପରସ୍ପର ବିରୋଧରେ ନାଚୁଣୀ ଥାନାରେ ମାମଲା ରୁଜୁ କରିଥିଲେ। ଏହି ଦୁଇଟି ମାମଲାର ତଦନ୍ତ ଦାୟିତ୍ୱରେ ଥିଲେ ଏଏସଆଇ ଅକ୍ଷୟ କୁମାର ସେଠୀ। ପରେ ଉଭୟ ପକ୍ଷ ମଧ୍ୟରେ ଆପୋଷ ସମାଧାନ ହୋଇଥିଲେ ମଧ୍ୟ ମାମଲା ବନ୍ଦ କରିବା ପାଇଁ ସେ ମୋଟ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରତ୍ୟେକ ପକ୍ଷଙ୍କଠାରୁ ୫ ହଜାର ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ଅଭିଯୋଗକାରୀ ଶୀଘ୍ର ମାମଲାର ସମାଧାନ ଚାହୁଁଥିବାରୁ ତାଙ୍କୁ ୫ ହଜାର ଟଙ୍କା ସହ ସତ୍ୟପାଠ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ।
ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଫାନ୍ଦ ପକାଇ ନଜର ରଖିଥିଲା। ଏଏସଆଇ ଅକ୍ଷୟ କୁମାର ସେଠୀ ଲାଞ୍ଚ ଟଙ୍କା ଗ୍ରହଣ କରିବା ମାତ୍ରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିବାକୁ ଯୋଜନା କରିଥିଲା । କିନ୍ତୁ ଟିମ୍କୁ ଦେଖି ସେ ୫ ହଜାର ଟଙ୍କା ନେଇ ବାଇକ୍ରେ ଫେରାର ହୋଇଯାଇଥିଲେ। ଘଟଣା ପରେ ନାଚୁଣୀ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ଏଏସଆଇଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

