ଓଠରେ ସିଲେଇ ପାଇଁ ଦିଆଯାଇଥିଲା ଆନାସ୍ଥେସିଆ; ୧୮ ମାସର ଶିଶୁର ମୃତ୍ୟୁ, ଡାକ୍ତରଙ୍କ ନାଁରେ ମାମଲା
କେରଳ: କେରଳର କନ୍ନୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଓଠରେ ଲାଗିଥିବା ସାମାନ୍ୟ କ୍ଷତରେ ସିଲେଇ କରିବା ପାଇଁ ଆନାସ୍ଥେସିଆ ଦିଆଯିବା ପରେ ୧୮ ମାସର ଶିଶୁ ଦେବାଂଶ ଶୌର୍ଯ୍ୟ ଅଚେତ ହୋଇପଡ଼ିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣା ପରେ ପରିବାର ଲୋକେ ଚିକିତ୍ସା ଅବହେଳାର ଅଭିଯୋଗ ଆଣିବା ସହ ପୁଲିସ ଜଣେ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସୂଚନା ଅନୁସାରେ, ଜୁଲାଇ ୫ ତାରିଖରେ ଘର ବାହାରେ ଖେଳୁଥିବା ବେଳେ ଦେବାଂଶ ତଳେ ପଡ଼ି ତାଙ୍କ ଓଠରେ ଗଭୀର କ୍ଷତ ହୋଇଥିଲା। ପ୍ରଥମେ ତାଙ୍କୁ ମଥାମଙ୍ଗଲମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ପାୟାନ୍ନୁରସ୍ଥିତ ବେବି ମେମୋରିଆଲ ହସ୍ପିଟାଲକୁ ନିଆଯାଇ ସେଠାରେ ଆନାସ୍ଥେସିଆ ଦେଇ ଓଠରେ ସିଲେଇ କରାଯାଇଥିଲା। ତେବେ ଆନାସ୍ଥେସିଆ ପରେ ସେ ଅଚେତ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କନ୍ନୁର ସ୍ଥିତ ବେବି ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଶେଷରେ ତାଙ୍କୁ ବଞ୍ଚାଯାଇ ପାରିନଥିଲା।
ଶିଶୁର ପରିବାର ପକ୍ଷରୁ ଡାକ୍ତର ଅଞ୍ଜଳି ପୋଡୁଭାଲଙ୍କ ବିରୋଧରେ ଚିକିତ୍ସା ଅବହେଳାର ଅଭିଯୋଗ ଅଣାଯାଇଛି। ଏହା ଆଧାରରେ ପୁଲିସ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୨୫ ଅନୁଯାୟୀ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ବେବି ମେମୋରିଆଲ ହସ୍ପିଟାଲ ପକ୍ଷରୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରାଯାଇଛି। ହସ୍ପିଟାଲ କହିଛି, ଆନାସ୍ଥେସିଆ ଦେବା ପରେ ଶିଶୁଟିର ହଠାତ୍ ହୃଦ୍ଘାତ ହୋଇଥିଲା। ତୁରନ୍ତ ଭେଣ୍ଟିଲେଟର ସହାୟତା ଦିଆଯାଇ ଉନ୍ନତ ଚିକିତ୍ସା ପାଇଁ କନ୍ନୁରକୁ ସ୍ଥାନାନ୍ତର କରାଯାଇଥିଲା। ସମସ୍ତ ମାନକ ଚିକିତ୍ସା ପ୍ରକ୍ରିୟା ଅନୁସରଣ କରାଯାଇଥିଲେ ମଧ୍ୟ ଶିଶୁଟିର ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

