Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀ ଜଳ ବିବାଦ ସମାଧାନ ଦିଗରେ ବଡ଼ ପଦକ୍ଷେପ; ଓଡ଼ିଶା ପ୍ରସ୍ତାବକୁ ଛତିଶଗଡ଼ର ସମ୍ମତି

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନିଆଯାଇଛି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ହୋଇଥିବା ଶୁଣାଣିରେ ଓଡ଼ିଶା ଓ ଛତିଶଗଡ଼ ସରକାର ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସ୍ଥାୟୀ ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଶନିବାର ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ମହାନଦୀ ମାମଲାର ଶୁଣାଣି ହୋଇଥିଲା। ଏହି ସମୟରେ ଛତିଶଗଡ଼ ସରକାର ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ ସ୍ପଷ୍ଟ କରିଥିଲେ ଯେ, ଓଡ଼ିଶା ସହ ଆଲୋଚନା କରି ବିବାଦର ସ୍ଥାୟୀ ସମାଧାନ ପାଇଁ ସେମାନେ ଆଗ୍ରହୀ ଅଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଧ୍ୟ ଛତିଶଗଡ଼ ସମର୍ଥନ କରିଥିବା ଜଣାପଡ଼ିଛି।

ଉଭୟ ରାଜ୍ୟର ସହମତିକୁ ଗୁରୁତ୍ୱ ଦେଇ ଟ୍ରିବ୍ୟୁନାଲ ଛତିଶଗଡ଼ ସରକାରଙ୍କୁ ଏକ ଲିଖିତ ପ୍ରତିଶ୍ରୁତିପତ୍ର ଦାଖଲ କରିବାକୁ କହିଛନ୍ତି। ଆଗାମୀ ଶୁଣାଣି ପୂର୍ବରୁ ଏହି ପ୍ରତିଶ୍ରୁତିପତ୍ର ଟ୍ରିବ୍ୟୁନାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୩ ତାରିଖରେ ହେବ। ଏହି ପଦକ୍ଷେପ ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ଆଶା ସଞ୍ଚାର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories