ସ୍କୁଲ ପିଲାଙ୍କୁ ବିଜେଡି ପ୍ରତିବାଦରେ ସାମିଲ ଅଭିଯୋଗ: ନବୀନ ପଟ୍ଟନାୟକଙ୍କ ସମେତ ୭ ଜଣଙ୍କୁ ଶିଶୁ ଅଧିକାର ଆୟୋଗର ନୋଟିସ୍
ଝାରସୁଗୁଡ଼ାରେ ବିଜେଡିର ପ୍ରତିବାଦ କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କୁ ସାମିଲ କରାଯାଇଥିବା ଅଭିଯୋଗକୁ ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କଡ଼ା ପଦକ୍ଷେପ ନେଇଛି। ଏହି ଘଟଣାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ୭ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ ଆୟୋଗ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଆବଶ୍ୟକୀୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଗତକାଲି ଝାରସୁଗୁଡ଼ାରେ ଆୟୋଜିତ ବିଜେଡିର ପ୍ରତିବାଦ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଦୀପାଳି ଦାସ, ଅଳକା ମହାନ୍ତି ଏବଂ ବିଜେଡି ଛାତ୍ର ସଂଗଠନର ସଭାନେତ୍ରୀ ଇପ୍ସିତା ସାହୁଙ୍କ ଉପସ୍ଥିତିରେ ଛୋଟ ପିଲାଙ୍କୁ ସାମିଲ କରାଯାଇଥିଲା। ଏହା ଶିଶୁଙ୍କ ଅଧିକାର ସହ ଜଡିତ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଆୟୋଗ ଏହାର ତଦନ୍ତ ଆରମ୍ଭ କରିଛନ୍ତି।
ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ବିଧାୟିକା ଦୀପାଳି ଦାସ, ଅଳକା ମହାନ୍ତି ଏବଂ ବିଜେଡି ଛାତ୍ର ସଂଗଠନ ସଭାନେତ୍ରୀ ଇପ୍ସିତା ସାହୁଙ୍କ ସମେତ ମୋଟ ୭ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି। ସେହିପରି, ଘଟଣା ସମ୍ପର୍କରେ ୭ ଦିନ ମଧ୍ୟରେ ‘ଆକ୍ସନ୍ ଟେକେନ୍ ରିପୋର୍ଟ’ ଦାଖଲ କରିବାକୁ ସମ୍ପୃକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ନୋଟିସ୍କୁ ନେଇ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।

