Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଥଯାତ୍ରା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି;୧୩ ହଜାର ପୋଲିସ, ଡ୍ରୋନ୍ ଓ ୪୭୦ ଏଆଇ କ୍ୟାମେରାରେ ରହିବ କଡ଼ା ନଜର

ଆସନ୍ତା ଗୁରୁବାର ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣମୁକ୍ତ କରିବା ପାଇଁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସମସ୍ତ ଅଧିକାରୀଙ୍କ ସହ ବୈଠକ କରି ସେବାଭାବ ଓ ମାନବୀୟ ବ୍ୟବହାର ସହ ଦାୟିତ୍ୱ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ, ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଚଳିତବର୍ଷ ରଥଯାତ୍ରା ସୁରକ୍ଷା ପାଇଁ ୧୩ ହଜାର ପୋଲିସ କର୍ମଚାରୀ ଓ ୧୯ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଏହା ସହ ବିଏସଏଫ୍, ସିଆରପିଏଫ୍, ଏନ୍‌ଏସ୍‌ଜି, ରାପିଡ୍ ଆକ୍ସନ୍ ଫୋର୍ସ ସମେତ ୧୫ କମ୍ପାନୀ କେନ୍ଦ୍ରୀୟ ବାହିନୀ, ଏସ୍‌ଟିୟୁ କମାଣ୍ଡୋ, ଡଗ୍ ସ୍କ୍ୱାଡ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ସୁରକ୍ଷା ଦାୟିତ୍ୱରେ ରହିବେ। ସମୁଦ୍ରପଥରେ ମେରାଇନ୍ ପୋଲିସ, କୋଷ୍ଟ ଗାର୍ଡ ଓ ନୌସେନା ମଧ୍ୟ ସତର୍କ ରହିବେ। ଆକାଶମାର୍ଗରୁ ଡ୍ରୋନ୍ ଜରିଆରେ ସମ୍ପୂର୍ଣ୍ଣ ପୁରୀ ସହର ଉପରେ ନଜର ରଖାଯିବା ସହ ୪୭୦ଟି ଏଆଇ ସିସିଟିଭି କ୍ୟାମେରା ମାଧ୍ୟମରେ ପୁରୀ ସହର ଓ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ କଡ଼ା ନଜରଦାରି କରାଯିବ।

ଭକ୍ତମାନଙ୍କ ସୁବିଧା ପାଇଁ ପୁରୀରେ ୨୭ଟି ସ୍ଥାନରେ ଦୁଇଚକିଆ ଓ ଚାରିଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ପୁରୀ ସହରକୁ ୪ଟି ପ୍ରବେଶ ଓ ୫ଟି ପ୍ରସ୍ଥାନ ଜୋନ୍‌ରେ ବିଭକ୍ତ କରାଯାଇ ଟ୍ରାଫିକ୍ ପରିଚାଳନା କରାଯିବ। ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ବସ୍‌ଗୁଡ଼ିକ ତାଳବଣିଆ ବସ୍‌ଷ୍ଟାଣ୍ଡରେ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ବସ୍‌ଗୁଡ଼ିକ ସମଙ୍ଗରେ ପାର୍କିଂ କରିବେ। ସେଠାରୁ ଭକ୍ତମାନଙ୍କ ପାଇଁ ସଟଲ୍ ବସ୍ ଓ ମାଗଣା ଅଟୋ ସେବାର ବ୍ୟବସ୍ଥା କରାଯାଇଛି। ଗତବର୍ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଘଟିଥିବା ଦଳାଚକଟା ଘଟଣାର ସମୀକ୍ଷା ପରେ ଏବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଇଛି। ଅଭିଜ୍ଞ ଅଧିକାରୀଙ୍କୁ ଦାୟିତ୍ୱ ଦେଇ ଅଘଟଣମୁକ୍ତ ଓ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories