ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କେଜିରୁ ପିଜି ନାମଲେଖା ପାଇଁ ଆସିବ ସ୍ୱତନ୍ତ୍ର ଗାଇଡଲାଇନ୍: ଉଚ୍ଚ
ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରକୁ ନେଇ ରାଜ୍ୟ ସରକାର ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। କେଜିରୁ ପିଜି ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହେବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାକୁ ଗୁରୁତ୍ୱର ସହ ନେଇ ସମଗ୍ର ପ୍ରକ୍ରିୟାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କହିବା ଅନୁଯାୟୀ, ବିଶ୍ୱବିଦ୍ୟାଳୟ, କଲେଜ ଓ ଅଣଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ନାମଲେଖା ପାଇଁ ସୋମବାର ଏସଓପି (SOP) ଜାରି କରାଯିବ। ଏହା ଫଳରେ ଆଡମିସନ ପ୍ରକ୍ରିୟାକୁ ନେଇ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ। କଲେଜ ଫିର ନିର୍ଦ୍ଧାରିତ ଅର୍ଥ ଛାତ୍ରଛାତ୍ରୀଙ୍କଠାରୁ ଆଦାୟ ନ କରି ସରକାର ବହନ କରିବେ। ରି-ଆଡମିସନ ଫି ମଧ୍ୟ ଛାଡ଼ କରାଯିବ। ଯେଉଁ ଛାତ୍ରଛାତ୍ରୀ ଆଗୁଆ ଅର୍ଥ ଦେଇ ନାମଲେଖା କରିଛନ୍ତି, ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ, ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାରେ ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଏସସିଇଆରଟି (SCERT) ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଏସ୍ପିଙ୍କ ନିକଟରେ ଏଫଆଇଆର୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଆଧାରରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଆଉ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

