ଫ୍ରାନ୍ସକୁ ୨-୦ରେ ହରାଇ ଫାଇନାଲରେ ସ୍ପେନ୍; ବିଶ୍ୱକପ୍ ଟ୍ରଫିଠାରୁ ଗୋଟିଏ ପାଦ ଦୂରରେ
ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ ସେମିଫାଇନାଲରେ ଦମଦାର ପ୍ରଦର୍ଶନ କରି ସ୍ପେନ୍ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ଦୁଇଥରର ବିଶ୍ୱ ଚାମ୍ପିଅନ୍ ଫ୍ରାନ୍ସକୁ ୨-୦ ଗୋଲ୍ରେ ପରାସ୍ତ କରି ସ୍ପେନ୍ ପ୍ରଥମ ଦଳ ଭାବେ ଟାଇଟଲ୍ ମୁକାବିଲାରେ ସ୍ଥାନ ପକ୍କା କରିଛି। ୨୦୧୦ ବିଶ୍ୱ ଚାମ୍ପିଅନ୍ ସ୍ପେନ୍ ତୃତୀୟ ଥର ସେମିଫାଇନାଲ ଖେଳି ଦ୍ୱିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ କ୍ରମାଗତ ତୃତୀୟ ଥର ବିଶ୍ୱକପ୍ ଫାଇନାଲ ଖେଳିବାର ଫ୍ରାନ୍ସର ଆଶା ଭାଙ୍ଗିଯାଇଥିବା ବେଳେ ତାରକା ଫରୱାର୍ଡ କିଲିଆନ୍ ଏମ୍ବାପେଙ୍କ ସ୍ୱପ୍ନ ମଧ୍ୟ ଅଧୂରା ରହିଛି ।
ତେବେ ମ୍ୟାଚ୍ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଭାବେ ଖେଳ ପ୍ରଦର୍ଶନ କରିଥିଲେ। ୨୧ତମ ମିନିଟରେ ଲାମିନ୍ ୟାମାଲଙ୍କୁ ପେନାଲ୍ଟି ବକ୍ସ ମଧ୍ୟରେ ଫାଉଲ୍ କରାଯିବା ପରେ ସ୍ପେନ୍ ପେନାଲ୍ଟି ପାଇଥିଲା। ଏହି ସୁଯୋଗକୁ ଭେଟେରାନ୍ ଫରୱାର୍ଡ ମିକେଲ ଓୟାରଜାବାଲ ଗୋଲ୍ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରାଇଥିଲେ। ଏହା ଚଳିତ ବିଶ୍ୱକପ୍ରେ ତାଙ୍କର ପଞ୍ଚମ ଗୋଲ୍। ପ୍ରଥମାର୍ଦ୍ଧରେ ଫ୍ରାନ୍ସ ଏମ୍ବାପେଙ୍କ ମାଧ୍ୟମରେ ସମତା ଫେରାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ପେନ୍ ଗୋଲରକ୍ଷକ ଉନାଇ ସାଇମନ୍ ଚମତ୍କାର ସେଭ୍ କରି ଦଳକୁ ଅଗ୍ରଣୀ ରଖିଥିଲେ।
ଦ୍ୱିତୀୟାର୍ଦ୍ଧରେ ସ୍ପେନ୍ ଖେଳ ଉପରେ ନିଜର ନିୟନ୍ତ୍ରଣ ଜାରି ରଖିଥିଲା। ୫୮ତମ ମିନିଟରେ ଡାନି ଓଲ୍ମୋଙ୍କ ପାସ୍ରୁ ପେଡ୍ରୋ ପୋରୋ ଦମଦାର ଗୋଲ୍ କରି ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ଏହାପରେ ଫ୍ରାନ୍ସ ଗୋଲ୍ ଫେରାଇବାକୁ ଅନେକ ପ୍ରୟାସ କରିଥିଲେ ମଧ୍ୟ ସ୍ପେନ୍ର ଦୃଢ଼ ରକ୍ଷଣଭାଗ ସେମାନଙ୍କୁ ସଫଳ ହେବାକୁ ଦେଇନଥିଲା। ବରଂ ସ୍ପେନ୍ ଶେଷ ପର୍ଯ୍ୟନ୍ତ ଆକ୍ରମଣାତ୍ମକ ଖେଳ ଜାରି ରଖି ଆଉ କିଛି ଗୋଲ୍ର ସୁଯୋଗ ମଧ୍ୟ ସୃଷ୍ଟି କରିଥିଲା। ଏହି ବିଜୟ ସହ ସ୍ପେନ୍ ଏବେ ବିଶ୍ୱକପ୍ ଟ୍ରଫି ଜିତିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି।

