ହର୍ମୁଜ୍ ପ୍ରଣାଳୀର ବିକଳ୍ପ ପଥ ଖୋଜୁଛି ଇରାକ; ଆମେରିକୀୟ କମ୍ପାନୀ ସହ ୬୦ ବିଲିୟନ୍ ଡଲାରର ଶକ୍ତି ଚୁକ୍ତି
ନୂଆଦିଲ୍ଲୀ:ହର୍ମୁଜ୍ ପ୍ରଣାଳୀରେ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଇରାକ ଏକ ବଡ଼ ପଦକ୍ଷେପ ନେଇଛି। ଆମେରିକୀୟ କମ୍ପାନୀମାନଙ୍କ ସହ ପ୍ରାୟ ୬୦ ବିଲିୟନ୍ ଡଲାରର ଶକ୍ତି ଚୁକ୍ତି ସ୍ୱାକ୍ଷର କରିଛି। ଏହାର ଲକ୍ଷ୍ୟ ହେଉଛି ତୈଳ ଓ ଗ୍ୟାସ୍ ରପ୍ତାନି ପାଇଁ ହର୍ମୁଜ୍ ପ୍ରଣାଳୀର ବିକଳ୍ପ ପଥ ପ୍ରସ୍ତୁତ କରିବା। ଯାହାଦ୍ୱାରା ଭବିଷ୍ୟତରେ ଯୋଗାଣ ବାଧାଗ୍ରସ୍ତ ହେବାର ଆଶଙ୍କା କମିବ।
ଇରାକ ସରକାର ୱେଷ୍ଟର୍ଣ୍ଣ ଏନର୍ଜି କମ୍ପାନୀମାନଙ୍କ ସହ ତୈଳ, ଗ୍ୟାସ୍ ଓ ପାଇପ୍ଲାଇନ୍ ପ୍ରକଳ୍ପକୁ ନେଇ ୧୨ରୁ ଅଧିକ ଚୁକ୍ତି କରିଛନ୍ତି। ଇରାକ ପ୍ରଧାନମନ୍ତ୍ରୀ ଅଲି ଅଲ-ଜୈଦି କହିଛନ୍ତି, ଦେଶ ବିଦେଶୀ ନିବେଶ ପାଇଁ ଖୋଲା ନୀତି ଅନୁସରଣ କରୁଛି। ଶେଭ୍ରନ୍ କମ୍ପାନୀ ମଧ୍ୟ ହର୍ମୁଜ୍ ପ୍ରଣାଳୀକୁ ଏଡ଼ାଇ ସିରିଆର ଭୂମଧ୍ୟସାଗର ଉପକୂଳ ପର୍ଯ୍ୟନ୍ତ ତୈଳ ପରିବହନ ପାଇଁ ନୂଆ ପାଇପ୍ଲାଇନ୍ରେ ନିବେଶ କରିବାକୁ ଘୋଷଣା କରିଛି।
ବର୍ତ୍ତମାନ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ଓ ଗ୍ୟାସ୍ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ ହେଉଛି। ସେଥିପାଇଁ ଏହି ସମୁଦ୍ର ପଥରେ ଯେକୌଣସି ସଙ୍କଟ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଛି । ତେବେ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଜୈଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଆହୁରି ନୂଆ ନିବେଶ ଓ ରୋଜଗାର ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଛନ୍ତି ।

