Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଥେନଲ୍‌କୁ ନେଇ ବଡ଼ ବୟାନ ଦେଲେ ନୀତିନ ଗଡ଼କରୀ, କହିଲେ- ପେଟ୍ରୋଲ ଦାମ୍ ହୋଇପାରେ ଲିଟର ପିଛା ୧୬୮ ଟଙ୍କା!

ନୂଆଦିଲ୍ଲୀ: ଏଥେନଲ୍ ମିଶ୍ରିତ ପେଟ୍ରୋଲ (E20/E25)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି ଭବିଷ୍ୟତରେ ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ଅଲଗା ଭାବେ ବିକ୍ରି ହୁଏ, ତେବେ ଏହାର ଦାମ୍ ଲିଟର ପିଛା ପ୍ରାୟ ୧୬୮ ଟଙ୍କା ହୋଇପାରେ। ଅନ୍ୟପଟେ ଏଥେନଲ୍ ମିଶ୍ରିତ ପେଟ୍ରୋଲ ଏହାଠାରୁ ଯଥେଷ୍ଟ ଶସ୍ତା ରହିବ। ସେ କହିଛନ୍ତି, ସରକାର ବର୍ତ୍ତମାନ ପ୍ରତି ଲିଟର ଏଥେନଲ୍ ୫୪ରୁ ୬୬ ଟଙ୍କା ଦରରେ କ୍ରୟ କରୁଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହାର ଲକ୍ଷ୍ୟ କୌଣସି ଗୋଟିଏ ଇନ୍ଧନକୁ ପ୍ରୋତ୍ସାହନ ଦେବା ନୁହେଁ, ବରଂ ଦେଶକୁ ପେଟ୍ରୋଲିୟମ ଆମଦାନୀ ଉପରେ ନିର୍ଭରଶୀଳତାରୁ ମୁକ୍ତ କରିବା।

ଗଡ଼କରୀ କହିଛନ୍ତି, ଦେଶର ଅନେକ ଅଟୋମୋବାଇଲ୍ କମ୍ପାନୀ ଫ୍ଲେକ୍ସ-ଫ୍ୟୁଏଲ୍ ଇଞ୍ଜିନ୍ ବିକଶିତ କରିସାରିଛନ୍ତି, ଯାହା ୧୦୦ ପ୍ରତିଶତ ପେଟ୍ରୋଲ, ୧୦୦ ପ୍ରତିଶତ ଏଥେନଲ୍ କିମ୍ବା ଉଭୟର ମିଶ୍ରଣରେ ଚାଲିପାରିବ। ସେହିପରି E20 ପେଟ୍ରୋଲ ଯୋଗୁଁ ଇଞ୍ଜିନ୍ ଖରାପ ହେଉଥିବା ଦାବିକୁ ସେ ଖଣ୍ଡନ କରି କହିଛନ୍ତି ଯେ, ସରକାର କିମ୍ବା ଗାଡ଼ି ନିର୍ମାତାଙ୍କ ପାଖରେ ଏପରି କୌଣସି ପ୍ରମାଣ ନାହିଁ। ବର୍ଷ ବର୍ଷ ଧରି ପରୀକ୍ଷଣ ଓ ଆନ୍ତର୍ଜାତୀୟ ମାନଦଣ୍ଡ ଆଧାରରେ E20କୁ ମଞ୍ଜୁରୀ ଦିଆଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏଥେନଲ୍ ନୀତି ଦ୍ୱାରା ଚାଷୀମାନେ ବେଶ ଲାଭବାନ ହୋଇଛନ୍ତି |ମକା ଭଳି ଫସଲର ଦର ବଢ଼ିବା ସହ ବିହାର ଓ ଉତ୍ତର ପ୍ରଦେଶର ଚାଷୀମାନେ ହଜାର ହଜାର କୋଟି ଟଙ୍କାର ଲାଭ ପାଇଥିବା ସେ କହିଛନ୍ତି। ଏଥିସହ ଦେଶର ପେଟ୍ରୋଲିୟମ ଆମଦାନୀ ଖର୍ଚ୍ଚ କମିବା, ବୈଦେଶିକ ମୁଦ୍ରା ସଞ୍ଚୟ ଓ ପ୍ରଦୂଷଣ ହ୍ରାସ ପାଇଁ ବାୟୋଫ୍ୟୁଏଲ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଗଡ଼କରୀ କହିଛନ୍ତି। ସୋସିଆଲ ମିଡିଆରେ ଏଥେନଲ୍‌କୁ ନେଇ ଚାଲିଥିବା ଗୁଜବରେ ବିଶ୍ୱାସ ନକରି ସଠିକ୍ ତଥ୍ୟ ଉପରେ ଭରସା କରିବାକୁ କେନ୍ଦ୍ରମନ୍ତ୍ରୀ ଲୋକଙ୍କୁ ଆହ୍ୱାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories