ଖେଳାଳିଙ୍କ ଫିଟନେସ୍କୁ ନେଇ ଚିନ୍ତାରେ ଶୁଭମନ ଗିଲ୍!
ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଦଳର ଅଧିନାୟକ ଶୁଭମନ ଗିଲ୍ ଖେଳାଳିମାନଙ୍କ ବାରମ୍ବାର ଆହତ ହେବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରତି ଦୁଇ କିମ୍ବା ତିନିଟି ମ୍ୟାଚ୍ ପରେ କୌଣସି ନା କୌଣସି ଖେଳାଳି ଅନଫିଟ୍ ହୋଇଯାଉଛନ୍ତି, ଯାହା ଦଳର ସନ୍ତୁଳନକୁ ପ୍ରଭାବିତ କରୁଛି। ଗିଲ୍ଙ୍କ ମତରେ, ଖେଳାଳିଙ୍କ ଫିଟନେସ୍ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ।
ଭାରତୀୟ କ୍ରିକେଟ ଦଳର ଏକାଧିକ ବୋଲର ଆହତ ହୋଇ ପଡ଼ିଛନ୍ତି। ହର୍ଷିତ ରାଣା ହାମ୍ଷ୍ଟ୍ରିଙ୍ଗ ଆହତ ଯୋଗୁଁ ଦିନିକିଆ ଶୃଙ୍ଖଳାରୁ ବାଦ ପଡ଼ିଥିବା ବେଳେ ୱାଶିଂଟନ ସୁନ୍ଦର ଏବଂ ଯଶପ୍ରୀତ ବୁମ୍ରା ମଧ୍ୟ ଆହତ କାରଣରୁ ସମସ୍ତ ମ୍ୟାଚ୍ ଖେଳିପାରିନଥିଲେ। ଗିଲ୍ କହିଛନ୍ତି, ମୂଳ ଦଳର ଅନେକ ଖେଳାଳିଙ୍କ ଆଘାତ ଯୋଗୁଁ ବାରମ୍ବାର ଦଳର ଖେଳାଳି ବଦଳାଇବାକୁ ପଡ଼ୁଛି।
ଆସନ୍ତା ବିଶ୍ୱକପ୍କୁ ଦୃଷ୍ଟିରେ ରଖି ଗିଲ୍ କହିଛନ୍ତି, ଯଦି ଭାରତ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚେ, ତେବେ ଲଗାତାର ୧୧ଟି ମ୍ୟାଚ୍ ଖେଳିବାକୁ ପଡ଼ିବ। ଏଭଳି ସ୍ଥିତିରେ ଖେଳାଳିମାନେ ଯଦି ଦୁଇ-ତିନିଟି ମ୍ୟାଚ୍ ପରେ ହିଁ ଅନଫିଟ୍ ହୋଇଯାଆନ୍ତି, ତାହା ଦଳ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ। ସେ ଆହୁରି କହିଛନ୍ତି, ମ୍ୟାଚ୍ ଦିନ ସକାଳେ କୌଣସି ଖେଳାଳି ଅନଫିଟ୍ ବୋଲି ଜଣାପଡ଼ିଲେ ଦଳ ପାଇଁ ଏକ ବଡ ସମସ୍ୟା ହୋଇଯାଏ। ତେଣୁ ଦଳ ଭାବେ ଫିଟନେସ୍ ମାନଦଣ୍ଡକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି ଗିଲ୍ ମତ ପ୍ରକାଶ କରିଛନ୍ତି।

