ଲଘୁଚାପଜନିତ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ବିଧବା ଯଶୋଦା ଙ୍କ ପରିବାର ।
କଳାହାଣ୍ଡି,୨୧/୦୭
କଳାହାଣ୍ଡି ଜିଲ୍ଲାରେ ଜାରି ରହିଛି ଲଘୁଚାପଜନିତ ଲଗାଣ ବର୍ଷା। ଏହି ଲଗାଣ ବର୍ଷା ରେ କୋକସରା ବ୍ଲକ କାଉଡୋଲା ଗ୍ରାମର ବିଧବା ମହିଳା ଯଶୋଦା ନିଆଳ ଙ୍କ ମାଟି ଖପର ଘର ଭାଙ୍ଗିଯାଇଛି। ଘଟଣା ସମୟ ରେ ପରିବାର ର ସମସ୍ତ ସଦସ୍ୟ ବାହାରେ ଥିବାରୁ ସେମାନେ ଅଳ୍ପକେ ଏକ ଅଘଟଣ ରୁ ବର୍ତ୍ତି ଯାଇଛନ୍ତି।
ସୂଚନା ମତେ କାଉଡୋଲା ଗ୍ରାମର ବିଧବା ମହିଳା ଯଶୋଦା ନିଆଳ ମାଟି ଖପର ଘରେ ୩ ପୁଅବୋହୁ ଙ୍କ ସହ ପରିବାର ରହୁଥିଲେ। ଲଘୁଚାପଜନିତ ବର୍ଷା କାରଣରୁ ମଙ୍ଗଳବାର ସକାଳୁ ଘରଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ବିଧବା ଯଶୋଦା ଜଣେ ଗରିବ ଶ୍ରେଣୀର ମହିଳା,ବର୍ଷେ ତଳେ ତାଙ୍କ ସ୍ୱାମୀ ଙ୍କ ଦେହାନ୍ତ ହେବାପରେ ଅତି ଦୟନୀୟ ଅବସ୍ଥାରେ ମାଟି କୁଡ଼ିଆ ଘରେ ୬ ସଦସ୍ୟ ଙ୍କ ସହ ରହୁଥିଲେ। ଆମେ ଗରିବ ଲୋକ। ଘର ଭାଙ୍ଗିଯାଇଥିବାରୁ ଆମ ପାଖରେ ରହିବାକୁ କୌଣସି ଆଶ୍ରୟ ନାହିଁ। ଆଜି ପର୍ଯ୍ୟନ୍ତ ମୋତେ ବିଧବା ଭତ୍ତା କିମ୍ବା ସରକାରୀ ଆବାସ ମିଳିନାହିଁ, ଏବେ ଘର ଭାଙ୍ଗିବା ପରେ ଆମେ କେମିତି ରହିବୁ ବୋଳି କୋହଭରା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଲଘୁଚାପଜନିତ ବର୍ଷା କାରଣରୁ ଘରେ ଥିବା ଖାଦ୍ୟ ସାମଗ୍ରୀ ଆସବାବପତ୍ର ମଧ୍ୟ ନଷ୍ଟ ହୋଇଥିବା ଜଣାପଡିଛି।ଏନେଇ ଆମପାଣି ରାଜସ୍ବ ନିରୀକ୍ଷକ କୃଷ୍ଣ ଭୋଇ ଙ୍କ ପ୍ରତିକ୍ରିୟା ନେବାରୁ ବର୍ତ୍ତମାନ ପୀଡିତ ପରିବାର ପାଇଁ ପଲିଥିନ ଯୋଗାଇ ଦିଆଯାଇଛି ଓ ଘରଭଙ୍ଗା ରିପୋର୍ଟ ତହସିଲ କାର୍ଯ୍ୟାଳୟ କୁ ଦେବାପରେ ନିୟମ ଅନୁଯାୟୀ ସରକାରୀ ସହାୟତା ମିଳିବ ବୋଳି କହିଛନ୍ତି।

