କମନୱେଲ୍ଥ ଗେମ୍ସ ୨୦୨୬ର ଶୁଭାରମ୍ଭ କଲେ ‘କିଙ୍ଗ୍ ଚାର୍ଲ୍ସ-୩’; ଐତିହାସିକ ଇନଡୋର୍ ଉଦ୍ଘାଟନୀ ଉତ୍ସବର ସାକ୍ଷୀ ହେଲା ସ୍କଟଲ୍ୟାଣ୍ଡ
ନୂଆଦିଲ୍ଲୀ: କମନୱେଲ୍ଥ ଗେମ୍ସ ୨୦୨୬ର ୨୩ତମ ସଂସ୍କରଣର ଉଦ୍ଘାଟନୀ ଉତ୍ସବ ଗୁରୁବାର ସ୍କଟଲ୍ୟାଣ୍ଡର ଗ୍ଲାସଗୋ ସ୍ଥିତ OVO Hydro ଆରେନାରେ ଭବ୍ୟ ଆୟୋଜନ ମଧ୍ୟରେ ଅନୁଷ୍ଠିତ ହୋଇଛି। ବ୍ରିଟେନର ରାଜା କିଙ୍ଗ୍ ଚାର୍ଲ୍ସ-୩ ଆନୁଷ୍ଠାନିକ ଭାବେ କମନୱେଲ୍ଥ ଗେମ୍ସର ଉଦ୍ଘାଟନ ଘୋଷଣା କରିଥିଲେ। ଏହି ଅବସରରେ କ୍ୱିନ୍ କାମିଲା, ବ୍ରିଟେନର ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ ଏବଂ କମନୱେଲ୍ଥ ସ୍ପୋର୍ଟର ସଭାପତି ଡୋନାଲ୍ଡ ରୁକାରେ ଉପସ୍ଥିତ ଥିଲେ।
ଉଦ୍ଘାଟନୀ ସମାରୋହରେ କିଙ୍ଗ୍ ଚାର୍ଲ୍ସ-୩ ବକିଂହାମ୍ ପ୍ୟାଲେସରେ ୨୦୨୫ ମାର୍ଚ୍ଚ ୧୦ରେ କମନୱେଲ୍ଥ ଦିବସ ଅବସରରେ କିଙ୍ଗ୍ସ ବାଟନ୍ ଭିତରେ ରଖିଥିବା ବାର୍ତ୍ତାକୁ ପାଠ କରିଥିଲେ। ଏହା ପରେ ସେ ଆନୁଷ୍ଠାନିକ ଭାବେ ଖେଳର ଶୁଭାରମ୍ଭ ଘୋଷଣା କରିଥିଲେ। ଏହି କ୍ରୀଡ଼ା ମହାକୁମ୍ଭ ଆସନ୍ତା ଅଗଷ୍ଟ ୨ ପର୍ଯ୍ୟନ୍ତ ଚାଲିବ।
ବିଶେଷ କଥା ହେଉଛି, କମନୱେଲ୍ଥ ଗେମ୍ସ ଇତିହାସରେ ପ୍ରଥମ ଥର ପାଇଁ ଉଦ୍ଘାଟନୀ ଉତ୍ସବ ଏକ ଇନଡୋର୍ ଆରେନାରେ ଆୟୋଜିତ ହୋଇଛି। ସେହିପରି, ଗତ ୧୨ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଗ୍ଲାସଗୋ ଏହି ବହୁକ୍ରୀଡ଼ା ଆୟୋଜନର ଆୟୋଜକ ସହର ହୋଇଛି। ଭବ୍ୟ ସାଂସ୍କୃତିକ ପ୍ରଦର୍ଶନ, ଆଲୋକ ସଜ୍ଜା ଓ ସଙ୍ଗୀତରେ ସଜିଥିବା ଉଦ୍ଘାଟନୀ ସମାରୋହ ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା।

