ଆସନ୍ତା ସେପ୍ଟେମ୍ବରରେ ହୋଇପାରେ ଭାରତର ବାଂଲାଦେଶ ଗସ୍ତ! ଚୂଡ଼ାନ୍ତ ତାରିଖ ନେଇ ଆଲୋଚନା ଜାରି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବାଂଲାଦେଶ ଗସ୍ତକୁ ନେଇ ପୁଣିଥରେ ଆଶା ସୃଷ୍ଟି ହୋଇଛି। ଗତବର୍ଷ ସ୍ଥଗିତ ରହିଥିବା ଏହି ଦ୍ୱିପାକ୍ଷିକ ଶୃଙ୍ଖଳାକୁ ଆସନ୍ତା ସେପ୍ଟେମ୍ବରରେ ଆୟୋଜନ କରିବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଏବଂ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ମଧ୍ୟରେ ଆଲୋଚନା ଜୋରଦାର ଭାବେ ଚାଲିଛି। ଗତ ସପ୍ତାହରେ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସିର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଉଭୟ ବୋର୍ଡର ପ୍ରତିନିଧିମାନେ ଏହି ପ୍ରସଙ୍ଗରେ ପ୍ରାଥମିକ ଆଲୋଚନା କରିଥିଲେ। ବର୍ତ୍ତମାନ ଶୃଙ୍ଖଳାର ତାରିଖ ଓ ସୂଚୀ ଚୂଡ଼ାନ୍ତ କରିବାକୁ ଉଭୟ ପକ୍ଷ ଆଲୋଚନା ଜାରି ରଖିଛନ୍ତି।
ଯଦି ସେପ୍ଟେମ୍ବରରେ ଏହି ଗସ୍ତ ଚୂଡ଼ାନ୍ତ ହୁଏ, ତେବେ ଭାରତର ପୂର୍ବ ନିର୍ଦ୍ଧାରିତ ଆଫଗାନିସ୍ତାନ ବିପକ୍ଷ ଟି-୨୦ ଶୃଙ୍ଖଳାକୁ ପଛକୁ ଘୁଞ୍ଚାଇ ଦିଆଯାଇପାରେ। ଭାରତ ଗତବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ଓ ସୁରକ୍ଷାଜନିତ କାରଣରୁ ଏହା ସ୍ଥଗିତ ହୋଇଥିଲା। ପରେ ଆଇପିଏଲ୍ ସମୟରେ ବାଂଲାଦେଶୀ ପେସ୍ ବୋଲର୍ ମୁସ୍ତାଫିଜୁର ରହମାନଙ୍କୁ ନେଇ ବିବାଦ ପରେ ଦୁଇ ବୋର୍ଡ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇଥିଲା। ଏହାର ପ୍ରଭାବରେ ବାଂଲାଦେଶ ଦଳ ଭାରତରେ ଆୟୋଜିତ ଟି-୨୦ ବିଶ୍ୱକପ୍ରେ ଅଂଶଗ୍ରହଣ କରିନଥିଲା।
ତେବେ ବାଂଲାଦେଶରେ ରାଜନୈତିକ ପରିବର୍ତ୍ତନ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଥିବାରୁ କ୍ରିକେଟ୍ ସହଯୋଗ ପୁଣି ସ୍ୱାଭାବିକ ହେବାର ସମ୍ଭାବନା ବଢ଼ିଛି। ଉଭୟ ବୋର୍ଡ ମଧ୍ୟ ଏହି ଶୃଙ୍ଖଳା ଆୟୋଜନକୁ ନେଇ ଆଶାବାଦୀ ଥିବା ସୂଚନା ମିଳିଛି। ଆସନ୍ତା କିଛି ଦିନ ମଧ୍ୟରେ ଆଲୋଚନା ଶେଷ ହେବା ସହ ଶୃଙ୍ଖଳାର ସମ୍ପୂର୍ଣ୍ଣ ସୂଚୀ ଘୋଷଣା ହୋଇପାରେ।

