ଭାରତ କ୍ରିକେଟ ଦଳ ପାଇଁ ବଡ଼ ଆଶ୍ୱସ୍ତି; ଫିଟନେସ୍ ପରୀକ୍ଷାରେ ପାସ୍ କଲେ ଜସପ୍ରିତ ବୁମ୍ରା, ଖେଳିବେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍
ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳ ପାଇଁ ବଡ଼ ଖୁସି ଖବର ଆସିଛି। ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ବିସିସିଆଇର ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)ରେ ହୋଇଥିବା ଫିଟନେସ୍ ପରୀକ୍ଷାରେ ସଫଳ ହୋଇଛନ୍ତି। ଫଳରେ ସେ ଶ୍ରୀଲଙ୍କା ବିପକ୍ଷ ଉଭୟ ଟେଷ୍ଟ ମ୍ୟାଚ୍ ଖେଳିବେ ବୋଲି ସ୍ପଷ୍ଟ ହୋଇଛି।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ସମୟରେ ଲାଗିଥିବା ଆଘାତରୁ ସୁସ୍ଥ ହେବା ପରେ ବୁମ୍ରାଙ୍କୁ ଫିଟନେସ୍ ଅନୁମୋଦନ ମିଳିଛି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁମ୍ରା ସମସ୍ତ ଆବଶ୍ୟକ ଫିଟନେସ୍ ମାନଦଣ୍ଡ ପୂରଣ କରିଛନ୍ତି ଏବଂ ଉଭୟ ଟେଷ୍ଟରେ ଦଳ ପାଇଁ ଉପଲବ୍ଧ ରହିବେ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (WTC) ଦୌଡ଼ରେ ରହିବାକୁ ଭାରତ ପାଇଁ ଏହି ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଏପଟେ ଭାରତୀୟ ଦଳ ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ସମସ୍ୟାର ସମ୍ମୁଖୀନ ହେଉଥିବା ଦଳକୁ ଚିନ୍ତାରେ ପକାଇଦେଇଥିଲା | ତେବେ ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର ଏବଂ ଆକାଶ ଦୀପ ଆହତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି। ୱାଶିଂଟନଙ୍କ ସ୍ଥାନରେ ଅଫ୍ ସ୍ପିନ୍ ଅଲରାଉଣ୍ଡର ସାରାଂଶ ଜୈନଙ୍କୁ ସୁଯୋଗ ମିଳିଛି। ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତ ଅଗଷ୍ଟ ୧୫ରୁ ଗଲେରେ ପ୍ରଥମ ଏବଂ ଅଗଷ୍ଟ ୨୩ରୁ କଲମ୍ବୋରେ ଦ୍ୱିତୀୟ ଟେଷ୍ଟ ଖେଳିବ। ତେବେ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ଭାରତର ବୋଲିଂ ଆକ୍ରମଣକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।

