ସ୍ୱାସ୍ଥ୍ୟକର୍ମୀ ଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ।
କଳାହାଣ୍ଡି,୦୧/୦୭
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜଣେ କର୍ତ୍ତବ୍ୟନିଷ୍ଠ ସ୍ୱାସ୍ଥ୍ୟକର୍ମୀ ନିତ୍ୟାନନ୍ଦ ସାହୁ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।।ଏହି ସମ୍ବର୍ଦ୍ଧିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧିର କୁମାର ପଟ୍ଟଯୋଶୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟ ବିଭାଗର ଡ. ଦେବଦତ୍ତ ପଣ୍ଡା, ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ଫାର୍ମାସିଷ୍ଟ ନିହାର ରଞ୍ଜନ ମେହେର, ମେଡିକାଲ ଅଫିସର ଡ. ସଂଜିବ ନାଏକ
ଶୁଭଲକ୍ଷ୍ମୀ ରାଉତ,ଝଙ୍କାରାଣି ମହାପାତ୍ର ତଥା ତୁଳସୀ ରାମ ବାରିକ, ଶଶିଧର ସାହୁ, ଘନଶ୍ୟାମ ପଟେଲ,ନରେନ୍ଦ୍ର ନାଏକ, ମଣିଭଦ୍ର ନାଏକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଙ୍କ ଦୀର୍ଘ କର୍ମମୟ ଜୀବନ, ନିଷ୍ଠା, ସେବାଭାବ ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ପଟ୍ଟଯୋଶୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜଣେ ସ୍ୱାସ୍ଥ୍ୟକର୍ମୀ କେବଳ ସରକାରୀ କର୍ମଚାରୀ ନୁହେଁ, ରୋଗୀସେବା ପାଇଁ ଉତ୍ସର୍ଗୀକୃତ ସମାଜର ସେବକ। ଅବସରପ୍ରାପ୍ତ କର୍ମଚାରୀଙ୍କ ନିଷ୍ଠା, ସରଳତା ଓ କର୍ମଦକ୍ଷତା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି ସେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅଵସର ନେଇଥିବା ସ୍ୱାସ୍ଥ୍ୟ କର୍ମି ଶ୍ରୀ ସାହୁ ନିଜ ଅଭିଭାଷଣରେ ସେ ସମସ୍ତ ସହକର୍ମୀ, ଅଧିକାରୀ ଏବଂ ଜନସାଧାରଣଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ଭବିଷ୍ୟତରେ ମଧ୍ୟ ସମାଜସେବାରେ ନିଜକୁ ନିୟୋଜିତ ରଖିବେ ବୋଲି କହିଥିଲେ। ସୁରେନ୍ଦ୍ର କୁମାର ସାହୁ ସଭା ପରିଚାଳନା କରିଥିବାବେଳେ ଓମ୍ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସ୍ୱାସ୍ଥ୍ୟ କର୍ମଚାରୀ, ବିଭିନ୍ନ ଜନପ୍ରତିନିଧି ଏବଂ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

