୧୦ ବର୍ଷର ପ୍ରେମ ପରେ ବାହା ହେଲେ ରୋନାଲ୍ଡୋ-ଜର୍ଜିନା, ୫ ସନ୍ତାନଙ୍କ ଉପସ୍ଥିତିରେ ହେଲା ବିବାହ
ନୂଆଦିଲ୍ଲୀ: ପର୍ତ୍ତୁଗାଲର ଷ୍ଟାର ଫୁଟବଲର Cristiano Ronaldo ଓ ତାଙ୍କ ଦୀର୍ଘଦିନର ସାଥୀ Georgina Rodríguez ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରାୟ ୧୦ ବର୍ଷର ସମ୍ପର୍କ ପରେ ଅଗଷ୍ଟ ୧୧, ୨୦୨୬ରେ ପର୍ତ୍ତୁଗାଲର କାସ୍କାଇସରେ ଏକ ଘରୋଇ ସମାରୋହରେ ଦୁହେଁ ବିବାହ କରିଥିବା ଜଣାପଡ଼ିଛି। ଉଭୟେ ସୋସିଆଲ ମିଡିଆରେ ବିବାହର ଫଟୋ ସେୟାର କରି ଏହାକୁ ନିଶ୍ଚିତ କରିଛନ୍ତି। ଫଟୋରେ ଦୁହିଁଙ୍କୁ ଧଳା ପୋଷାକରେ ଦେଖାଯିବା ସହ ହାତରେ ବିବାହ ମୁଦି ପିନ୍ଧିଥିବା ମଧ୍ୟ ନଜର ଆସିଛନ୍ତି ।
ରୋନାଲ୍ଡୋ ଓ ଜର୍ଜିନା ୨୦୧୬ ମସିହାରୁ ଏକାଠି ଅଛନ୍ତି। ଗତବର୍ଷ ଅଗଷ୍ଟ ୧୧ରେ ଜର୍ଜିନା ସୋସିଆଲ ମିଡିଆରେ ନିର୍ବନ୍ଧ ଘୋଷଣା କରିଥିଲେ। ଠିକ୍ ଏକ ବର୍ଷ ପରେ ଦୁହେଁ ବିବାହ କରିଛନ୍ତି। ବିବାହ ସମାରୋହକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖାଯାଇଥିବା ବେଳେ କେବଳ ପରିବାର ଓ ଘନିଷ୍ଠ ବନ୍ଧୁମାନେ ଏଥିରେ ସାମିଲ ହୋଇଥିଲେ। ଦମ୍ପତିଙ୍କ ୫ ସନ୍ତାନ—କ୍ରିଷ୍ଟିଆନୋ ରୋନାଲ୍ଡୋ ଜୁନିୟର, ଯାଆଁଳା ଇଭା ଓ ମାଟେଓ, ଆଲାନା ମାର୍ଟିନା ଏବଂ ବେଲା ଏସମେରାଲ୍ଡା—ମଧ୍ୟ ଏହି ବିଶେଷ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।
ରୋନାଲ୍ଡୋ ଓ ଜର୍ଜିନାଙ୍କ ବିବାହକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା। ଏପରିକି କିଛି ଦିନ ପୂର୍ବରୁ ଦୁହେଁ ବିବାହ କରୁଥିବା ଗୁଜବ ହେବା ପରେ ପର୍ତ୍ତୁଗାଲର ଫଞ୍ଚାଲ୍ କ୍ୟାଥେଡ୍ରାଲ୍ ବାହାରେ ଶହ ଶହ ଲୋକ ଏକାଠି ହୋଇଥିଲେ। ତେବେ ସେଠାରେ ବିବାହ ଅନ୍ୟ ଏକ ଦମ୍ପତିଙ୍କର ଥିବା ଜଣାପଡ଼ିଥିଲା। ଏବେ ନିଜେ ବିବାହ ଫଟୋ ସେୟାର କରି ରୋନାଲ୍ଡୋ ଓ ଜର୍ଜିନା ସମସ୍ତ ଗୁଜବର ଅବସାନ ଘଟାଇଛନ୍ତି।

