CSKର ନୂଆ କୋଚ୍ ହେବେ କି ଇଅନ୍ ମୋର୍ଗାନ୍? ଆଶ୍ୱିନଙ୍କ ବଡ଼ ଇଙ୍ଗିତ, ଧୋନିଙ୍କ ଭୂମିକାକୁ ନେଇ ଚର୍ଚ୍ଚା
ହାଇଦ୍ରାବାଦ: ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ନୂଆ ହେଡ୍ କୋଚ୍ କିଏ ହେବେ, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୦୨୬ ଆଇପିଏଲ୍ର ନୈରାଶ୍ୟଜନକ ପ୍ରଦର୍ଶନ ପରେ CSK ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କ ସହ ସମ୍ପର୍କ ଶେଷ କରିଛି। ଏବେ ତାଙ୍କ ସ୍ଥାନରେ ଇଂଲଣ୍ଡର ବିଶ୍ୱକପ୍ ବିଜୟୀ ଅଧିନାୟକ ଇଅନ୍ ମୋର୍ଗାନ୍ଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।
ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଆଶ୍ୱିନ୍ ମଧ୍ୟ ମୋର୍ଗାନ୍ଙ୍କ ନାମକୁ ନେଇ ବଡ଼ ଇଙ୍ଗିତ ଦେଇଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଆଶ୍ୱିନ୍ କହିଛନ୍ତି ଯେ, CSKର ପରବର୍ତ୍ତୀ କୋଚ୍ ଭାବେ ମୋର୍ଗାନ୍ ଜଣେ ଶକ୍ତିଶାଳୀ ଦାବିଦାର। ମୋର୍ଗାନ୍ଙ୍କ ପାଖରେ ଶୀର୍ଷସ୍ତରୀୟ କୋଚିଂ ଅଭିଜ୍ଞତା ନଥିଲେ ମଧ୍ୟ ତାଙ୍କର ନେତୃତ୍ୱ ଅଭିଜ୍ଞତା ବେଶ୍ ଭଲ। ସେ ୨୦୧୯ରେ ଇଂଲଣ୍ଡକୁ ପ୍ରଥମ ଥର ପାଇଁ ODI ବିଶ୍ୱକପ୍ ଜିତାଇଥିଲେ। ଏହାଛଡ଼ା ୨୦୨୧ରେ ତାଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ଫାଇନାଲରେ ପହଞ୍ଚିଥିଲା।
ଆଶ୍ୱିନ୍ ଆଉ ଏକ ସମ୍ଭାବନା ଭାବେ ବ୍ରେଣ୍ଡନ୍ ମ୍ୟାକକଲମ୍ଙ୍କ ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। କିନ୍ତୁ ଇଂଲଣ୍ଡର ODI ଓ T20I ଦଳ ସହ ତାଙ୍କର ବର୍ତ୍ତମାନର ଦାୟିତ୍ୱ ଥିବାରୁ CSK ପାଇଁ ତାଙ୍କୁ ନିଯୁକ୍ତ କରିବା ସହଜ ହୋଇନପାରେ। ଆଶ୍ୱିନଙ୍କ ମତରେ, ଏହି ସମୟରେ CSKକୁ ଏକ ସ୍ଥିର ନେତୃତ୍ୱ ଦରକାର। ତେଣୁ ଆସନ୍ତା ଏକ ବର୍ଷ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଦଳର ବ୍ୟବସ୍ଥା ଚାଲିପାରେ ଏବଂ ପରେ ମୋର୍ଗାନ୍ଙ୍କ ଭଳି କାହାକୁ ହେଡ୍ କୋଚ୍ ଦାୟିତ୍ୱ ଦିଆଯାଇପାରେ ବୋଲି ସେ ମତ ଦେଇଛନ୍ତି। ତେବେ CSK ପକ୍ଷରୁ ଏପର୍ଯ୍ୟନ୍ତ ମୋର୍ଗାନ୍ଙ୍କୁ ନୂଆ ହେଡ୍ କୋଚ୍ କରିବା ନେଇ କୌଣସି ଅଧିକାରିକ ଘୋଷଣା ହୋଇନାହିଁ।

