Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ! ପ୍ରଶାସନିକ ତ୍ରୁଟି ପାଇଁ ଟେବୁଲ୍ ଟେନିସ୍ ଫେଡେରେସନ୍‌ର ମାନ୍ୟତା କଲା ରଦ୍ଦ

ନୂଆଦିଲ୍ଲୀ: ଭାରତୀୟ ଟେବୁଲ୍ ଟେନିସ୍‌ର ପ୍ରଶାସନକୁ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ବଡ଼ ପଦକ୍ଷେପ ନେଇଛି। ବୁଧବାର ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI)ର ମାନ୍ୟତା ରଦ୍ଦ କରାଯାଇଛି। ଏହାସହ ଖେଳର ପ୍ରଶାସନିକ କାର୍ଯ୍ୟ ପରିଚାଳନା ପାଇଁ ଭାରତୀୟ ଅଲିମ୍ପିକ୍ ସଂଘ (IOA)କୁ ଏକ ଆଡ୍‌ହକ୍ କମିଟି ଗଠନ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। TTFIରେ ରହିଥିବା ପ୍ରଶାସନିକ ତ୍ରୁଟିଗୁଡ଼ିକର ଯାଞ୍ଚ ସହ ସେଗୁଡ଼ିକର ସମାଧାନ ଦିଗରେ ଏହି କମିଟି କାମ କରିବ।

ମନ୍ତ୍ରଣାଳୟର ସୂଚନା ଅନୁସାରେ, TTFI ନିର୍ଦ୍ଧାରିତ ସମୟରେ ନିର୍ବାଚନ କରାଇବାରେ ବିଫଳ ହୋଇଥିଲା। ଏନେଇ ବର୍ଷ ଆରମ୍ଭରେ ସଂଘକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା। ତେବେ ମିଳିଥିବା ଉତ୍ତରରେ ମନ୍ତ୍ରଣାଳୟ ସନ୍ତୁଷ୍ଟ ନ ହେବାରୁ ଏହି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ TTFIର ନେତୃତ୍ୱ ମେଘନା ଅହଲାବତଙ୍କ ହାତରେ ରହିଛି। ସେ ସଂଘର ପ୍ରଥମ ମହିଳା ସଭାପତି ଭାବେ ଡିସେମ୍ବର ୨୦୨୨ରେ ଦାୟିତ୍ୱ ଗ୍ରହଣ କରିଥିଲେ।

ଗତ କିଛି ମାସ ଧରି TTFIକୁ ନେଇ ବିଭିନ୍ନ ବିବାଦ ଦେଖାଦେଇଥିଲା। ଜାନୁଆରୀରେ ଆର୍ଥିକ ଅନିୟମିତତା ଅଭିଯୋଗରେ ମହାସଚିବ ତଥା ପୂର୍ବତନ ଖେଳାଳି କମଲେଶ ମେହେତାଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ନିଲମ୍ବନ ରଦ୍ଦ ହୋଇଥିଲା। ଏହାଛଡ଼ା ଷ୍ଟାର ପ୍ୟାଡଲର ମାନିକା ବାତ୍ରାଙ୍କୁ ଏସୀୟ କ୍ରୀଡ଼ା ଦଳରୁ ବାଦ ଦେବା ନିଷ୍ପତ୍ତିକୁ ନେଇ ମଧ୍ୟ TTFI ସମାଲୋଚନାର ଶିକାର ହୋଇଥିଲା। ଏହି ସବୁ ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ଏବେ ସଂଘର ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ପଦକ୍ଷେପ ନେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ